ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ସହଜ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାରେ ସାଥୀ (ସେଲ୍ଫ ଆସେସମେଣ୍ଟ ଟେଷ୍ଟ ଏଣ୍ଡ ହେଲ୍ପ୍ ଫର୍ ଏଣ୍ଟ୍ରାନ୍ସ ଏକ୍ଜାମସ୍) SATHEE (Self Assessment, Test and Help for Entrance Exams) ନାମକ ଏକ ଅଭିନବ ଆପ୍ ଉପଲବ୍ଧ କରାଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘରୋଇ ପ୍ରଶିକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ନେବା ପାଇଁ କ୍ଷମତା ନ ଥିବା ପିଲାମାନେ ଏହି ‘ସାଥୀ’ ଆପ୍ ଜରିଆରେ ସହଜରେ ପ୍ରସ୍ତୁତି କରି ପାରିବେ।
ଜେଇଇ, ସିୟୁଇଟି, ନିଟ୍ ଆଦି ଜାତୀୟ ସ୍ତରର ପ୍ରବେଶିକା ପାଇଁ ବିଗତ ବର୍ଷର ପ୍ରଶ୍ନପତ୍ର, ଅଭିଜ୍ଞ ପ୍ରଶିକ୍ଷକଙ୍କ ଶିକ୍ଷାଦନ ଭିଡିଓ, ସାମ୍ଭାବ୍ୟ ପ୍ରଶ୍ନପତ୍ର, ମକ୍ ଟେଷ୍ଟ ଆଦି ଆପ୍ରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦେଶ କୁମାର କହିଛନ୍ତି ଯେ, ଆଇଆଇଟି କାନପୁର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ସାଥୀ’ ଆପ୍ ପିଲାମାନଙ୍କ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ବେଶ୍ ସହାୟକ ହେବ। ପିଲାଙ୍କ ସ୍ୱ-ଅଧ୍ୟୟନ ପାଇଁ ‘ସାଥୀ’ରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥିବାବେଳେ ଏହି ଆପ୍ ସେମାନଙ୍କ ପ୍ରସ୍ତୁତିରେ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ, କ୍ୟାଟ୍, ଗେଟ୍, ୟୁପିଏସ୍ ସି ଇତ୍ୟାଦି ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପ୍ଲାଟଫର୍ମ ଉପଯୋଗୀ ହେବ। ଏହି ପ୍ଲାଟଫର୍ମରେ ଆଇଆଇଟି ଏବଂ ଆଇଆଇଏସସିର ଅଧ୍ୟାପକମାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ରହିଛି ଯାହାକି ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିବ । ଏହି ଭିଡିଓଗୁଡ଼ିକ ଛାତ୍ରମାନଙ୍କୁ ସେମାନେ ଦୁର୍ବଳ ଥିବା ବିଷୟଗୁଡ଼ିକୁ ସଂଶୋଧନ କରିବାରେ ମଧ୍ୟ ସାହାଯ୍ୟ କରିବ |
ଧ୍ୟାନଦେବେ ଯେତେବେଳେ ଗୁଗୁଲ୍ ପ୍ଲେ-ଷ୍ଟୋରରେ ଟାଇପ୍ କରିବେ ‘SATHEE APP’ ନଚେତ୍ ଏହି ନାମରେ ଅନେକ ଆପ୍ ରହିଛି ।