ମାଛ ପୋଖରୀରେ ଦେଖାଯାଉଥିବା ଅନାବନା ଘାସ ଓ ଦଳ ପ୍ରଭୃତି ମାଛଚାଷରେ ଅନେକ ଅସୁବିଧା ସୃଷ୍ଟି କରିଥାନ୍ତି । ପୋଖରୀରେ ଘାସ ଓ ଦଳ ରହିବା ଯୋଗୁଁ ମାଛ ଉତ୍ପାଦନ କମିଯିବା ସହିତ ପରିବେଶ ପ୍ରଦୁଷଣ ଘଟିଥାଏ । ଅନେକ ସମୟରେ ଦଳ ହୋଇଯାଇଥିବା ସ୍ଥାନ ସନ୍ତସନ୍ତିଆ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ ।
ମୁଖ୍ୟତଃ ଅନାବନା ଘାସକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ।
କ) ଭାସମାନ ଘାସ
ଯେଉଁ ଘାସ ଗୁଡ଼ିକ ମାଟି ସହ ନଲାଗି ପାଣି ଉପରେ ଭାସି ବୁଲୁଥାଏ ସେଗୁଡ଼ିକୁ ଭାସମାନ ଘସ କୁହାଯାଏ । ଏଗୁଡ଼ିକ ମଧ୍ୟରେ ବିଲାତି ଦଳ, ଆଜୋଲା, ସାଲଭାନିଆ ଆଦି ପ୍ରଧାନ ।
ଖ) ଅର୍ଦ୍ଧଭାସମାନ ଘାସ
ଏହି ଧରଣର ଘାସ ଗୁଡ଼ିକର ଚେର ପୋଖରୀରେ ମାଟି ସହିତ ଲାଗିଥାଏ । କିନ୍ତୁ ସେଗୁଡ଼ିକର ପତ୍ର ଓ ଫଲ ଜଳ ଉପରେ ଭାସି ବୁଲୁଥାଏ । କଇଁ ଓ ପଦ୍ମ ଆଦି ଏହି ଶ୍ରେଣୀରେ ଅନ୍ତର୍ଗତ ।
ଗ) ବୁଡ଼ନ୍ତା ଘାସ
ଏଗୁଡ଼ିକ ପାଣି ଭିତରେ ବୁଡ଼ି ରହିଥାନ୍ତି । ଏଗୁଡ଼ିକର ମୂଳ ମାଟି ସହିତ ଲାଗିଥାଏ ବା ଏଗୁଡ଼ିକ ପାଣି ଭିତରେ ଭାସି ବୁଲନ୍ତି । ଚିଙ୍ଗୁଡ଼ିଆଦଳ, ଟ୍ୟାପ୍ ଘାସ ଆଦି ଏହି ଶ୍ରେଣୀର ଅନ୍ତର୍ଗତ ।
ଘ) ପାଣିକୂଳ ଘାସ
ଏହି ଘାସ ଗୁଡ଼ିକ ପାଣି ଧାର ପାଖରେ ବା ସନ୍ତସନ୍ତିଆ ଜାଗାରେ ଦେଖାଯାଆନ୍ତି । ପାଣି ମୁଖା, ଅମଲି, ବଣ ସାରୁ ଆଦି ଏହି ଶ୍ରେଣୀର ଅନ୍ତର୍ଗତ । ଏଗୁଡ଼ିକ ପାଣି କୂଳରେ ହୋଇଥିଲେ ମଧ୍ୟ ଅନେକ ସମୟରେ ପୋଖରୀ ଭିତରେ ମାଡ଼ିଯାଇଥାନ୍ତି ।
ଙ) ଶିଉଳି ଜାତୀୟ ଘାସ
ଏଗୁଡ଼ିକ ପୋଖରୀ ପାଣି ଉପରେ ବା ଅଳ୍ପ ପାଣିଥିଲେ ପୋଖରୀ ଭିତରେ ଦେଖାଯାଆନ୍ତି । ଏଗୁଡ଼ିକ ଯୋଗୁଁ ପୋଖରୀ ପାଣିର ରଙ୍ଗ ସବୁଜ, ନୀଳ-ସବୁଜ, ବାଦାମୀ, ଲାଲ-ବାଦାମୀ ଆଦି ହୋଇଥାଏ । ବିଭିନ୍ନ ପ୍ରକାରର ଶୈବାଳ ଏହି ଶ୍ରେଣୀର ଅନ୍ତର୍ଗତ ।
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- କାର୍ପ ମାଛର ଖାଦ୍ୟ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଘାସ ଦମନର ଉପାୟ
ମୁଖ୍ୟତଃ ପାଞ୍ଚଟି ଉପାୟରେ ଅନାବନା ଘାସ ଦମନ କରାଯାଇପାରେ । ସେଗୁଡ଼ିକ ହେଲା – ଚାଷକରି, ହାତରେ ଉପାଡ଼ି, ଯନ୍ତ୍ର ବ୍ୟବହାର କରି, ଜୈବିକ ପଦ୍ଧତି ଏବଂ ରାସାୟନିକ ପଦ୍ଧତି ।
ଚାଷକରି
- ଚାଷ ଦ୍ୱାରା ଅନାବନା ଘସ ନିୟନ୍ତ୍ରଣ କରିବାକୁ ହେଲେ ପୋଖରୀ କୂଳକୁ ହଳ କରିବାକୁ ହୁଏ ।
- ଏଥି ସହ ପୋଖରୀ କୂଳକୁ ପଟୁମାଟି ବାହର କରି ଏହାକୁ ଗହୀର କରିବା ଉଚିତ୍ ।
- ତାଛଡ଼ା ପୋଖରୀରେ ନୂଆ ଘାସ ପ୍ରବେଶକୁ ମଧ୍ୟ ରୋକାଯିବା ଆବଶ୍ୟକ ।
ହାତରେ ଉପାଡ଼ି ବା ଯନ୍ତ୍ର ବ୍ୟବହାର କରି
- ପୋଖରୀ କୂଳର ଘାସକୁ ହାତରେ ଉପାଡ଼ି ବା ଦାଆରେ କାଟି ଦେଲେ ମଧ୍ୟ ଘସ ଦମନ ହୋଇଥାଏ । ଏହାଛଡ଼ା ବିଦା ଚଳାଇ ବା ରେକ୍ ୱିଡ଼ର ବ୍ୟବହାର କରି ମଧ୍ୟ ପୋଖରୀ କୂଳର ଘାସ ଦମନ କରାଯାଇପାରିବ ।
- ଘାସ ଦମନ ପାଇଁ ବିଭିନ୍ନ ପ୍ରକାର ଘାସ କଟା ଯନ୍ତ୍ର ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା ଘସ ମରିଯାଇଥାଏ । ଏ ସବୁ ଉପାୟ ବାରମ୍ୱାର ଅନୁସରଣ କଲେ ସମ୍ପୂର୍ଣ୍ଣ ଭାବେ ଘାସ ଦମନ କରାଯାଇପାରିବ । କିନ୍ତୁ ଏହା ବ୍ୟୟବହୁଳ ଓ ଶ୍ରମ ସାପେକ୍ଷ ଉପାୟ ଅଟେ ।
ଜୈବିକ ଉପାୟ
- ଜୈବିକ ଉପାୟରେ ଘାସ ଦମନ କରିବା ସହଜ ଓ ଏଥିପାଇଁ ଅଳ୍ପ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ କି ପୋଖରୀରେ ଦେଖାଯାଉଥିବା ଘାସ ଖାଇଥାନ୍ତି । ଏମାନଙ୍କ ମଧ୍ୟରେ ମାଛ, ବତକ, କେତେକ କୀଟର ସାଂବାଳୁଆ ଆଦି ପ୍ରଧାନ ।
- ଆଜିକାଲି ଗ୍ରୀନକାର୍ପ ଜାତୀୟ ମାଛ ଚାଷ କରି ପୋଖରୀରୁ ଅନାବନା ଘାସ ଦମନ କରାଯାଇ ପାରୁଛି । ଏହି ମାଛ ଅନେକ ପ୍ରକାରର ଭାସମାନ ଘାସକୁ ଖାଇ ଦେଇଥାନ୍ତି । ଅତି ବହଳିଆ ଘାସ ହୋଇଥିଲେ 300 ରୁ 500 ଗ୍ରାମ ଓଜନ ପର୍ଯ୍ୟନ୍ତ ଗ୍ରାସକାର୍ପ ଛାଡ଼ିବା ଉଚିତ । ଘାସ ପରିମାଣ ଓ କିସମ ଉପରେ ନିର୍ଭରକରି ମାଛର ପରିମାଣ ନିର୍ଣ୍ଣୟ କରାଯାଇଥାଏ ।
ଘାସ ଦମନ ପାଇଁ ରାସାୟନିକ ପଦ୍ଧତି
- ଘାସ ଦମନ ପାଇଁ ରାସାୟନିକ ପଦ୍ଧତି ଅନୁସରଣ କଲେ ଅଧିକ ସଫଳତା ମିଳିଥାଏ ।
- ବିଭିନ୍ନ ପ୍ରକାରର ଘସ ଦମନ କରିବାପାଇଁ ଭିନ୍ନ ଭିନ୍ନ ଔଷଧ ଆବଶ୍ୟକ ହୋଇଥାଏ । ତେଣୁ ଉପଯୁକ୍ତ ଭାବେ ଔଷଧ ନିର୍ଣ୍ଣୟ କରିବା ଉଚିତ । ଏ
- ଥିପାଇଁ ଆମକୁ ଘାସର ପ୍ରକାର, ଉପଯୁକ୍ତ ଔଷଦ, ପ୍ରୟୋଗ ପରିମାଣ, ପ୍ରୟୋଗର ସମୟ ଆଦି ବିଷୟରେ ଜାଣିବାକୁ ପଡ଼ିବ ।
ବିଲାତି ଦଳ
ମାଛ ପୋଖରୀରେ ବିଲାତି ଦଳ ସବୁଠାରୁ କ୍ଷତିକାରକ ଘାସ । 2.4 ଡ଼ି ନାମକ ଔଷଧ ପ୍ରୟୋଗ କଲେ ବିଲାତି ଦଳକୁ ନଷ୍ଟ କରାଯାଇପାରିବ । ଦଳ ଛୋଟ ହୋଇଥିଲେ ହେକ୍ଟର ପିଚ୍ଛା 4 କିଲୋଗ୍ରାମ, ମଝାଳିଆ ହୋଇଥିଲେ ହେକ୍ଟର ପିଚ୍ଛା 6 କିଲୋଗ୍ରାମ ଓ ବଡ଼ ହୋଇଥିଲେ 10 କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଉଚିତ । ଏହି ଔଷଧକୁ ଫୁଟ ପମ୍ପ ସ୍ପ୍ରେୟର ଦ୍ୱାରା ଦଳ ଉପରେ ସମାନ ଭାବେ ପ୍ରୟୋଗ କରିବା ଦରକାର । ଏଥିପାଇଁ ପୋଖରୀ ଉପରେ ଦୁଇଖଣ୍ଡ ବାଉଁଶ ରଖି ତା ଉପରେ ଚାଲି ଚାଲି ସ୍ପ୍ରେ କରିବାକୁ ହୋଇଥାଏ । ଏକ ହେକ୍ଟର ଆକାରର ପୋଖରୀରେ ସ୍ପ୍ରେ କରିବା ପାଇଁ 400 ଲିଟର ପାଣି ଦରକାର ହୋଇଥାଏ । ଏଥିସହିତ ଶତକଡ଼ା 0.1 ଭାଗ ଡ଼ିଟରଜେଣ୍ଟ ପାଉଡ଼ର ମିଶାଇବା ଉଚିତ୍ । ସ୍ପ୍ରେ କରିବାର ତିନିମାସ ପରେ ଘାସ ଦମନ ହୋଇଥାଏ ।
ପିଷ୍ଟିଆ
ପିଷ୍ଟିଆ ନାମକ ଘାସ ଦମନ ପାଇଁ ହେକ୍ଟର ପିଛା ଦୁଇ ଲିଟର ଗ୍ରାମକସୋନକୁ 200 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା ଦରକାର ।
ସାଲଭାନିଆ
ସାଲଭାନିଆ ଦମନ କରିବା ପାଇଁ ହେକ୍ଟର ପିଛା 5 ଲିଟର ହିସାବରେ ଗ୍ରାମକସୋନ ସ୍ପ୍ରେ କରିବା ଉଚିତ ।
କଇଁ, ପଦ୍ମ
ପୋଖରୀରେ କଇଁ, ପଦ୍ମ ଆଦି ଥିଲେ ଏହାକୁ ମାରିବା ପାଇଁ ହେକ୍ଟର ପିଛା 8 ରୁ 10 କିଲୋଗ୍ରାମ 2.4 -ଡ଼ି ଔଷଧ ପ୍ରୟୋଗ କରନ୍ତୁ। ଏହି ପରିମାଣର ଔଷଧକୁ 300 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ଏଥିସହିତ ଶତକଡ଼ା 0.2 ଭାଗ ଲୁଗାଧୂଆ ପାଉଡ଼ର ମିଶାଇ ଦେବା ଉଚିତ ।
ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଘାସ
ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଘାସ ଦମନ ପାଇଁ ଆନହାଇଟ୍ ଆମୋନିଆ ବ୍ୟବହାର କରିବା ଉଚିତ୍ । ପୋଖରୀ କୂଳରେ ଦେଖାଯାଉଥିବା ଘାସ ଦମନ ପାଇଁ ହେକ୍ଟର ପିଛା ଆଠ କିଲୋଗ୍ରାମ 2.4-ଡ଼ି କୁ 200 ଲିଟର ପାଣିରେ ଗୋଳାଇ ସ୍ପ୍ରେ କରନ୍ତୁ । ମୁଥା ଦମନ ପାଇଁ ଏହି ଔଷଧକୁ ହେକ୍ଟର ପିଛା 10 କିଲୋଗ୍ରାମ ହିସାବରେ ପ୍ରୟୋଗ କରିବା ଆବଶ୍ୟକ ।
ଶୈବାଳ ଜାତୀଯ ଘାସ
ଶୈବାଳ ଜାତୀୟ କେତେକ ଘାସ ଦମନ ପାଇଁ ସିମାଜିନ୍ ବା ଡ଼ାଇୟୁରନ୍ ଔଷଧକୁ ପ୍ରତି ଲିଟର ପାଣିରେ ପିଚ୍ଛା 0.3 ରୁ 0.5 ମିଲିଗ୍ରାମ ହିସାବରେ ଗୋଳାଇ ସ୍ପ୍ରେ କରନ୍ତୁ । ଏହି ଔଷଧ ମାଛ ମାନଙ୍କର କୌଣସି କ୍ଷତି କରିନଥାଏ । କିନ୍ତୁ ଶୈବାଳ ମରିଯାଉଥିବାରୁ ଜଳରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ କମିଯିବାର ସମ୍ଭାବନା ରହିଛି । ତେଣୁ ଏ ସମସ୍ୟାର ସମାଧାନ ପାଇଁ ପୋଖରୀର ପାଣିକୁ ଅମ୍ଳଜାନୀକରଣ କରିବା ଉଚିତ୍ ।
ଉପରୋକ୍ତ ଭାବେ ରାସାୟନିକ ପଦ୍ଧତି ଅନୁସରଣ କରାଯାଏ ତେବେ ପୋଖରୀରେ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ମାରି ସାରିବା ପରେ ରହିଯାଉଥିବା ଅବଶିଷ୍ଟ ଘାସକୁ ବାହାର କରିଦେବା ଉଚିତ୍ । ଏହାପରେ ମାଛଚାଷ କରାଗଲେ ଜାଲପକାଇବା ତଥା ଅନ୍ୟାନ୍ୟ କାର୍ଯ୍ୟ ଦ୍ୱାରା ଘାସ ନିୟନ୍ତ୍ରଣ କରାଯାଇପାରିବ ।
ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମତ୍ସ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।