ମାଛଚାଷ ଏକ ଲାଭ ଜନକ ଚାଷ । ତେଣୁ ଆପଣମାନେ ଏହି ମାଛମାନଙ୍କ ଖାଦ୍ୟ ବିଷୟରେ ସବିଶେଷ ଜାଣିଲେ ଖାଦ୍ୟ ଖର୍ଚ୍ଚ କମ୍ କରି ପରିବେ ଓ ଅଧିକ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ମାଛର ଖାଦ୍ୟ ବିଷୟରେ ।
ଭାକୁର, ରୋହି, ମିରିକାଳି, ସିଲଭର କପ୍, ଗ୍ରାସକାର୍ପ ଓ ବିଲାତି ରୋହି ଆଦି କାର୍ପ ମାଛ ଯାଆଁଳ ଗୁଡ଼ିକ ଶୀଘ୍ର ବଢିବା ପାଇଁ ଅଧିକ ଖାଦ୍ୟ ଆବଶ୍ୟକ ହେଉଥିବାରୁ ପ୍ରାକୃତିକ ଖାଦ୍ୟ ବ୍ୟତୀତ କୃତ୍ରିମ ଖାଦ୍ୟ ଯୋଗାଇ ଦିଆଯାଏ । ତେଣୁ ଅଧିକ ଲାଭ ପାଇଁ ମାଛଚାଷରେ କୃତ୍ରିମ ଖାଦ୍ୟ ବ୍ୟବହାର କରାଯାଏ । ସେଥିପାଇଁ ମାଛର ଏଭଳି ଖାଦ୍ୟ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଗୋବର ଓ ରାସାୟନିକ ସାରର ନିୟମିତ ପ୍ରୟୋଗ ଭଳି ମାଛ ପାଇଁ ଦୈନିକ ଖାଦ୍ୟ ଯୋଗାଣର ଆବଶ୍ୟକତା ରହିଛି ।
ଗୋବର ଓ ସାର ପ୍ରୟୋଗ ଦ୍ୱାରା ବିଭିନ୍ନ ପ୍ଲାଙ୍କଟନ ଓ ଛୋଟ ଛୋଟ ଜୀବ ଇତ୍ୟାଦି ପ୍ରାକୃତିକ ଖାଦ୍ୟ ଉତ୍ପାଦନ ହୁଏ ଓ ସେଥିରୁ କେବଳ ମାତ୍ର ପ୍ରାୟ ଶତକଡ଼ା 50 ଭାଗ ପୁଷ୍ଟିସାର ମାଛକୁ ମିଳିଥାଏ । ଏହା ମାଛର ଶରୀର ବୃଦ୍ଧିରେ ଠିକ ଭାବରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହାର ହୋଇଥାଏ । ତେଣୁ ଶକ୍ତିକାରକ ପୌଷ୍ଟିକ ଖାଦ୍ୟ ଯୋଗଇ ଦେବା ଦ୍ୱରା ପୁଷ୍ଟିସାର ଓ ଶ୍ୱେତସାର ଅନୁପାତରେ ସମତା ରକ୍ଷା କରାଯାଇ ପାରିଥାଏ । ଏହା ଫଳରେ ପ୍ରାକୃତିକ ଖାଦ୍ୟରୁ ପାଉଥିବା ପୁଷ୍ଟିସାର ସେମାନଙ୍କ ଶରୀର ବୃଦ୍ଧିରେ ସାହାଯ୍ୟ କରେ ।
ସଘନ ମାଛ ଚାଷ ପାଇଁ ପୋଖରୀରେ ଅଧିକ ପରିମାଣରେ ଯାଆଁଳ ଛଡ଼ା ଯାଇଥିବାରୁ ପ୍ରାକୃତିକ ପୁଷ୍ଟିସାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ପୌଷ୍ଟିକ ପରିମାଣ କମ୍ ହୋଇଥାଏ । ଏହାଦ୍ୱାରା ମାଛର ଶରୀର ବୃଦ୍ଧିରେ ବାଧାପ୍ରାପ୍ତ ହୁଏ । ତେଣୁ ସହଜରେ ହଜମ ହୋଇପାରୁଥିବା ମିଶ୍ରିତ କୃତ୍ରିମ ଖାଦ୍ୟରେ ପୁଷ୍ଟିସାର, ଶ୍ୱେତସାର ଓ ସ୍ନେହସାର, ଜୀବସାର ଓ ଧାତୁସାର ଆଦି ଆବଶ୍ୟକ ପରିମାଣରେ ଯୋଗାଇ ଦିଆଯାଏ । ତଦ୍ୱାରା ମାଛ ନିରୋଗ ହେବା ସଙ୍ଗେ ସଙ୍ଗେ ଶୀଘ୍ର ଶରୀର ବୃଦ୍ଧି ଘଟାଇଥାଏ । ଏ ପ୍ରକାର ଖାଦ୍ୟକୁ ମାଛର ସୁଷମ ଖାଦ୍ୟ ବୋଲି କୁହାଯାଏ ।
ପୁଷ୍ଟିସାର
- ପୁଷ୍ଟିସାର ସୁଷମ ଖାଦ୍ୟର ଗୋଟିଏ ମହତ୍ୱପୂର୍ଣ୍ଣ ଉପାଦାନ । ଛୋଟମାଛରେ ଶରୀର ବୃଦ୍ଧି ପାଇଁ ପୁଷ୍ଟିସାରର ଆବଶ୍ୟକତା ବେଶୀ ଓ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା କମି ଆସେ ।
- ଶତକଡ଼ା 35-45 ଭାଗ ପୁଷ୍ଟିସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛ ଶୀଘ୍ର ବଢିପାରନ୍ତି ।
ଶ୍ୱେତସାର
- ଶ୍ୱେତସାର ମାଛକୁ ଶକ୍ତି ଯୋଗାଏ ଓ ତାହା ଆବଶ୍ୟକ ପରିମାଣରେ ଖାଦ୍ୟରେ ମିଳୁଥିଲେ ପୁଷ୍ଟିସାର ଶରୀର ବୃଦ୍ଧି କରାଏ ।
- ଶତକଜଡା 22-26 ଭାଗ ପର୍ଯ୍ୟନ୍ତ ଶ୍ୱେତସାର ଖାଦ୍ୟରେ ମିଳୁଥିଲେ ଯାଆଁଳ ମାଛର ଶରୀର ବୃଦ୍ଧି ଭଲ ହୋଇଥାଏ ।
ସ୍ନେହସାର
- ମାଛ ପାଇଁ ସ୍ନେହସାର ଶକ୍ତିର ଆଉ ଗୋଟିଏ ଆଧାର । ଏହା ଖାଦ୍ୟରେ କମ୍ ପରିମାଣରେ ଥିଲେ ପୁଷ୍ଟିସାର ମାଛର ଶରୀର ବୃଦ୍ଧିରେ ବିନିଯୋଗ ନ ହୋଇ ଶକ୍ତି ପାଇଁ ବ୍ୟବହୃତ ହୁଏ । ତଦ୍ୱାରା ମାଛର ଶରୀର ବୃଦ୍ଧିରେ ବ୍ୟାଘାତ ଘଟେ ।
- ସୁତରାଂ ଶତକଡ଼ା 4-6 ଭାଗ ପର୍ଯ୍ୟନ୍ତ ସ୍ନେହସାର ମାଛର କୃତ୍ରିମ ଖାଦ୍ୟରେ ରହିବା ଉଚିତ୍ ।
ଜୀବସାର
- ଖାଦ୍ୟରେ ଜୀବସାର କମ୍ ପରିମାଣରେ ଦରକାର ହେଉଥିଲେ ମଧ୍ୟ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । କେତେକ ଜୀବସାର ଅଭାବରୁ ମାଛକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।
- ସୁତରାଂ ଶତକଡ଼ା ଦଶମିକ ଏକ ଅନୁପାତରେ ଖାଦ୍ୟରେ ଏହାକୁ ଯୋଗାଇ ଦିଆଯାଏ ।
ଧାତୁସାର
- ଜୀବକୋଷ ତିଆରି, ଶରୀର ବୃଦ୍ଧି ଓ ବିକାଶ ପାଇଁ କ୍ୟାଲସିୟମ, ଫସଫରସ ଭଳି କେତେକ ଧାତୁସାରର ଦରକାର ପଡ଼େ । ଶତକଡ଼ା ଏକ ଦଶମିକ ପାଞ୍ଚ ଡ଼ାଇକାଲସିୟମ ଫସଫେଟ୍ ଖାଦ୍ୟରେ ଯୋଗାଇ ଦିଆଯାଏ ।
- ଏଗୁଡ଼ିକ ବ୍ୟତୀତ ଶସ୍ତା କୋବାଲଟ୍ ଓ ମାଗ୍ନେସିୟମ ଆଦି ଅନ୍ୟ କେତେକ ଦରକାରୀ ଧାତୁସାର ମଧ୍ୟ ଦରକାର ହୋଇଥାଏ । ତମ୍ବା, ଆୟୋଡ଼ିନ ଓ ମାଙ୍ଗାନିଜ ଇତ୍ୟାଦି କେତେକ ସୂକ୍ଷ୍ମ ମାତ୍ରିକ ପଦାର୍ଥ ମାଛର ଶରୀର ବୃଦ୍ଧିକୁ ତ୍ୱରାନ୍ୱିତ କରାଇଥାଏ ଓ ଏଗୁଡ଼ିକ ସୂକ୍ଷ୍ମମାତ୍ରାରେ ଆବଶ୍ୟକ ହୋଇଥାଏ । ସୁତରାଂ ଶତକଡ଼ା ଦଶମିକ ଏକ ଭାଗ ହିସାବରେ ଏଗୁଡ଼ିକ ଖାଦ୍ୟରେ ଯୋଗାଇ ଦିଆଯାଇଥାଏ ।
ବଜାରରେ ମିଳୁଥିବା ମାଛ ଖାଦ୍ୟ
- ଉପରୋକ୍ତ ଜୀବସାର ଏବଂ ଧାତୁସାର ଗୁଡ଼ିକୁ ଆବଶ୍ୟକ ମାତ୍ରାରେ ମିଶାଯାଇ ବଜାରରେ ଏଗ୍ରିମିନି ଫୋର୍ଟ, କୋନସିମିନ୍ ଫୋର୍ଟ, ମାଇନାଲ ଫୋର୍ଟ, ସପ୍ଲିଭାଇଟ୍ – ଏମ୍ ପ୍ରଭୃତି ନାମରେ ବଜାରରେ ବିକ୍ରୟ କରାଯାଉଅଛି ।
- ଏକ କି.ଗ୍ରା. ପିଡ଼ିଆ କୁଣ୍ଡା ଖାଦ୍ୟରେ ଏହି ମିଶ୍ରଣରୁ 10 ଗ୍ରାମ ମିଶାଯାଇ ମାଛକୁ ଖାଇବାକୁ ଦିଆଯାଏ ।
ଘରୋଇ ପଦ୍ଧତିରେ ମାଛ ଖାଦ୍ୟ
- ଗାଁ ଗହଳି ପାଖ ସହରାଞ୍ଚଳରେ ଥିବା ଧାନ, ଚୂଡ଼ା, ଅଟାକଳ ଓ ତେଲ ଘଣାରୁ ମିଳୁଥିବା କେତେକ ଆନୁସାଙ୍ଗିକ ଉତ୍ପାଦିତ ବସ୍ତୁ ବା ଚାଉଳ, ଅଟା, ଚୂଡ଼ା କଳରୁ ବାହାରିଗଲାପରେ ଯେଉଁ ଅଦରକାରୀ ଖୁଦକୁଣ୍ଡା, ଚୋକଡ଼ ଓ ତେଲ ପିଡ଼ିଆ ମିଳେ ତାହାକୁ ମାଛର ଖାଦ୍ୟ ରୂପେ ବ୍ୟବହାର କରାଯାଇପାରେ ।
- ବାଦାମ, ସୋରିଷ, ରାଶି, ଶାଳମଞ୍ଜି, କପାମଞ୍ଜି ଆଦିର ପିଡ଼ିଆକୁ କେତେକ ଉପଯୁକ୍ତ ଖାଦ୍ୟ ଉପାଦାନ ହିସାବରେ ବ୍ୟବହାର କରାଯାଇପାରେ । ସମପରିମାଣରେ ପିଡ଼ିଆ ଓ କୁଣ୍ଡା ମିଶାଇ ମାଛ କୃତ୍ରିମ ଖାଦ୍ୟ ରୂପେ ବ୍ୟବହାର ବହୁତ ଦିନ ଧରି ଚଳି ଆସୁଛି ।
- ଏଭଳି ଖାଦ୍ୟ ସହିତ 10-15 ପର୍ଯ୍ୟନ୍ତ ପ୍ରାଣୀଜ ପୁଷ୍ଟିସାର ମିଶାଇଲେ ମାଛର ଶରୀର ବୃଦ୍ଧି ଖୁବ୍ ଶୀଘ୍ର ହୁଏ । ଅଦରକାରୀ ମାଛର ଶୁଖୁଆଗୁଣ୍ଡ, ଶୁଖିଲା ଚିଙ୍ଗୁଡ଼ି ମୁଣ୍ଡର ଗୁଣ୍ଡ, ହାଡ଼ାଗୁଣ୍ଡ, ଶୁଖିଲା ରକ୍ତ ଗୁଣ୍ଡ, ସିଲକ୍ ପୋକର ଗୁଣ୍ଡ ଇତ୍ୟାଦିକୁ ପ୍ରାଣୀସାର ଭାବରେ ଓ ଧାତୁସାର ମଧ୍ୟ ମିଶାଇ ଉପାଦେୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।
ସହଜରେ ମିଳି ପାରୁଥିବା କେତେକ ଶସ୍ତା ଓ ଦରକାରୀ ଖାଦ୍ୟ ଉପାଦାନର ପୌଷ୍ଟିକତା ମୂଲ୍ୟ ନିମ୍ନରେ ପ୍ରଦାନ କରାଗଲା ।
ବସ୍ତୁର ନାମ | ପୁଷ୍ଟିସାର ପରିମାଣ
(ଶତକଡା ଭାଗ) |
ସ୍ନେହସାର ପରିମାଣ
(ଶତକଡା ଭାଗ) |
ଶ୍ୱେତସାର ପରିମାଣ
(ଶତକଡା ଭାଗ) |
ବାଦାମ ପିଡିଆ | 35-45 | 12-15 | 26-29 |
ଚାଉଳ ଖୁଦ | 8-15 | 6-7 | 25-45 |
ରାଶି ପିଡ଼ିଆ | 32-40 | 12-14 | 22-45 |
ଗହମ ଖୁଦ | 9-13 | 7-8 | 42-60 |
ଶୁଖିଲା ମାଛ ଗୁଣ୍ଡ | 32-55 | 6-12 | 2-8 |
ସୋରିଷ ପିଡ଼ିଆ | 26-30 | 8-12 | 2-8 |
ବିରିଗୁଣ୍ଡ | 5-8 | 2-3 | 56-60 |
ଟାପିଓକା (କନ୍ଦଫସଲ) | 2-5 | 2-5 | 65-80 |
ସୋୟାବିନ ପିଡିଆ | 40-47 | 12-14 | 28-32 |
କପା ମଞ୍ଜି ପିଡିଆ | 24-30 | 7-9 | 32-38 |
ସିଲକ୍ ପୋକ | 50-65 | 22-23 | 2-3 |
ହାଡ଼ଗୁଣ୍ଡ | 18-20 | 2-4 | 45-55 |
ରକ୍ତଗୁଣ୍ଡ | 80-90 | 0-5 | 1-1.5 |
ଗୋବର ଗୁଣ୍ଡ | 10-15 | 2-4 | 40-45 |
ମେଲାସେସ୍ | 1-2 | 8-10 | 80-90 |
ଚାଉଳ କୁଣ୍ଡା | 10-11 | 16-18 | 50-55 |
ନଡ଼ିଆ ପିଡିଆ | 20-23 | 10-13 | 40-42 |
ପେଶୀ ପିଡ଼ିଆ | 25-30 | 4-5 | 44-47 |
ମକାଗୁଣ୍ଡ | 10-11 | 4-5 | 75-80 |
ସୂର୍ଯ୍ୟମୁଖୀ ପି଼ଡ଼ିଆ | 24-27 | 15-20 | 22-25 |
ଶାଳମଞ୍ଜି ପିଡ଼ିଆ | 9-11 | 3-6 | 70-80 |
କାଜୁବାଦାମ ପିଡ଼ିଆ | 22-23 | 3-5 | 75-80 |
କଦଳୀ ଚୋପା | 7-8 | 4-5 | 75-80 |
ଚିଙ୍ଗୁଡ଼ି ମୁଣ୍ଡଗୁଣ୍ଡ | 25-30 | 8-9 | 1-3 |
ଡ଼ାଲିଜାତୀୟ ଖୁଦ | 15-18 | 2-3 | 45-48 |
ପଣସ ଚୋପା | 5-7 | 7-8 | 55-60 |
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ଖାଦ୍ୟ ଖୁଆଇବା ପ୍ରଣାଳୀ
- ଯେଉଁ ଖାଦ୍ୟ ମାଛ ଶିଘ୍ର ଗ୍ରହଣ କରିପାରେ ସେଭଳି ଖାଦ୍ୟ ଯୋଗାଇବା ଶ୍ରେୟସ୍କର ।
- ଖାଦ୍ୟ ଖୁଆଇବା ପ୍ରଣାଳୀର ମଧ୍ୟ ଗୁରୁତ୍ୱ ରହିଛି । ଖାଦ୍ୟ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।
- ଗୁଣ୍ଡ ଯାଆଁଳ ପାଇଁ ଖାଦ୍ୟକୁ ଗୁଣ୍ଡ ଆକାରରେ ଯଥେଷ୍ଟ ପରିମାଣରେ ପୋଖରୀରେ ବିଞ୍ଚି ଖାଇବାକୁ ଦିଆଯାଏ ।
- ଯାଆଁଳ ବଡ଼ହେଲେ ତା ଓଜନର ପ୍ରାୟ ଶତକଡ଼ା ତିନିଭାଗ ହିସାବରେ ଖାଦ୍ୟକୁ ଗୋଳା କରି ପୋଖରୀରେ ନିର୍ଦ୍ଦିଷ୍ଟ କୋଣ ମାନଙ୍କରେ ପାଣି ଭିତରେ ଝୁଡ଼ି ଟଙ୍ଗାଇ ତା ଭିତରେ ଖାଦ୍ୟ ଯୋଗାଇ ଦିଆଯାଏ ।
- ଏହା ବ୍ୟତୀତ ପୋଖରୀ ଭିତରେ ସ୍ଥାନ ସ୍ଥାନେ ଖୁଣ୍ଟ ପୋତି ସେଥିରେ ବ୍ୟାଗ ବା ଅଖା ପାଣି ଭିତରେ ଓହଳାଇ ଦିଆଯାଇପାରେ ଏବଂ ସେଥିରେ ଛୋଟ ଛୋଟ କିଛି କଣା କଲେ ମାଛ ଝୁମ୍ପି ଖାଇବାକୁ ସୁବିଧା ହୋଇ ପାରିବ ।
- ମାଛର ଓଜନ ବଢିବା ସହିତ ଖାଦ୍ୟର ପରିମାଣ ମଧ୍ୟ ସେହି ଅନୁସାରେ ବଢାଇ ଦିଆଯାଏ ।
- କଳମ ଶାଗ, ଘାସ, ଚିଙ୍ଗୁଡ଼ି ଦଳ, ଲେମନା ଦଳ, କଅଁଳିଆ କୋବି ପତ୍ର ଓ କଦଳୀ ପତ୍ର ଆଦି ଗ୍ରାସକାର୍ପ ମାଛକୁ ଖାଇବାକୁ ଦିଆଯାଏ ।
- ଛୋଟ ଯାଆଁଳକୁ ଏଗୁଡ଼ିକ କାଟି ଚୁନି ଚିନି କରି ଦେବାକୁ ହୁଏ ଓ ଯାଆଁଳ ବଢିଲେ ବାଉଁଶ ଧଡ଼ା କରି ପୋଖରୀର ନିର୍ଦ୍ଦିଷ୍ଟ ଜାଗା ମାନଙ୍କରେ ଖାଇବାକୁ ଦିଆଯାଏ ।
- ମେସିନ୍ ଦ୍ୱାରା ଆଜିକାଲି ଖାଦ୍ୟକୁ ବିଭିନ୍ନ ଆକାରର ସିମେଇ ଭଳି ପ୍ରସ୍ତୁତି କରାଯାଇପାରୁଛି । ଏହାକୁ ଡ୍ରାଇପେଲେଟ୍ କହନ୍ତି । ଏହି ଖାଦ୍ୟରେ ଯୋଗାଇ ଦିଆଯାଉଥିବା ସବୁ ପ୍ରକାର ପୌଷ୍ଟିକତା ମିଳିବା ସଙ୍ଗେ ସଙ୍ଗେ ଖାଦ୍ୟ ହଠାତ ପାଣି ଭିତରେ ମିଳାଇଯାଇ ନଷ୍ଟ ହୁଏ ନାହିଁ । ସୁତରାଂ ଏଭଳି ଖାଦ୍ୟର ସଂପୂର୍ଣ୍ଣ ଭାବରେ ସଦୁପଯୋଗ ସମ୍ଭବ ହୋଇପାରେ ।
- ଆଜିକାଲି 28-32 ପ୍ରତିଶତ ପୁଷ୍ଟିସାରଯୁକ୍ତ ଭାସମାନ ଖାଦ୍ୟ ବଜାରରେ ମିଳୁଅଛି । ମାଛ ଗ୍ରହଣ ନକଲା ପର୍ଯ୍ୟନ୍ତ ଏହି ଖାଦ୍ୟ ପାଣି ଉପରେ ଭାସି ରହିଥାଏ । 1 କି.ଗ୍ରା. ଭାସମାନ ଖାଦ୍ୟ ମାଛକୁ ଖାଇବାକୁ ଦେଇ 1 କି.ଗ୍ରା. ମାଛ ସହଜରେ ଉତ୍ପାଦନ କରିବେ ।
ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।