ମହୁମାଛି ପାଳନ ଅତ୍ୟନ୍ତ ଲାଭଦାୟକ ଚାଷ ଅଟେ । ଏହାକୁ ଯେକୌଣସି ଲୋକ ନିଜ ଘର ବାଡ଼ି ପଟେ ସହଜରେ ପାଳନ କରି ପରିବେ । ତେବେ ମହୁମାଛି ପଳନ ପୂର୍ବରୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣରୂପେ ଜାଣିବା ଦରକାର । ଆସନ୍ତୁ ଜାଣିବା ଆମେ କେଉଁ ମହୁମାଛି ପାଳନ କରିବା ।
ଆମଦେଶରେ ସାଧାରଣତଃ 5 କିସମର ମହୁମାଛି ଦେଖାଯାଆନ୍ତି ।
ସେଗୁଡ଼ିକ ହେଲା
- ବାଘୁଆ ମହୁମାଛି
- ଡ଼ାଳି ବା ବିଞ୍ଚିଣୀ ମହୁମାଛି
- ସାତଫେଣୀ ବା ସପ୍ତଫେଣୀ ମହୁମାଛି ଓ
- ନିକୁଟି ମହୁମାଛି
- ଇଟାଲିଆନ୍ ମହୁମାଛି
ଏମାନଙ୍କ ମଧ୍ୟରୁ ବାଘୁଆ ମହୁମାଛି ଓ ଡ଼ାଳି ବା ବିଞ୍ଚିଣୀ ମହୁମାଛି ଗଛ ଡ଼ାଳରେ ବାସ କରନ୍ତି । ସାତଫେଣୀ ବା ସପ୍ତଫେଣୀ ମହୁମାଛି ଓ ନିକୁଟି ମହୁମାଛି ଗଛ କୋରଡ଼ରେ ବା ଅନ୍ଧାରିଆ ସ୍ଥାନରେ ବସା ବାନ୍ଧି ରହନ୍ତି । ଇଟାଲିଆନ୍ ମହୁମାଛି ମାନଙ୍କୁ ପାଶ୍ଚାତ୍ୟ ଦେଶରୁ ଅଣାଯାଇଅଛି । ଏଣୁ ଏହାକୁ ପାଶ୍ଚାତ୍ୟ ମହୁମାଛି ମଧ୍ୟ କହନ୍ତି ।
ଏମାନଙ୍କ ମଧ୍ୟରୁ ସାତଫେଣୀ ଓ ପାଶ୍ଚାତ୍ୟ ମହୁମାଛିକୁ ମହୁବାକ୍ସରେ ରଖି ପାଳନ କରାଯାଏ । କିନ୍ତୁ ବାଘୁଆ ଓ ଡ଼ାଳି ମହୁମାଛିକୁ ମହୁ ବାକ୍ସରେ ରଖିବା ସମ୍ଭବ ହୋଇ ପାରେ ନାହିଁ ।
ବାଘୁଆ ମହୁମାଛି ( Apis dorsata)
- ଏହି ମହୁମାଛି ମାନେ କେବେଳ ଭାରତ, ସିଂହଳ, ଜାଭା ଏବଂ ଚୀନ ଦେଶରେ ଦେଖାଯାଆନ୍ତି ।
- ଏମାନେ ଦେଖିବାକୁ ହଳଦିଆ ମିଶା ବାଦାମୀ ରଙ୍ଗର ।
- ଲମ୍ବ 15 ମି.ମି. ଓ ଉଚ୍ଚତା ପ୍ରାୟ 10 ମି.ମି. ।
- ଏମାନେ ମୁକ୍ତାଲୋକରେ ଓ ଉଚ୍ଚରେ ବସାବାନ୍ଧି ରହିବାରେ ଅଭ୍ୟସ୍ତ ହୋଇଥିବାରୁ ବଡ଼ ବଡ଼ ଡ଼ାଳରେ ଓ ପଥରରେ ଫେଣା ଗଢ଼ନ୍ତି । ଜଙ୍ଗଲ ଓ ,ସେମାନଙ୍କ ବାସସ୍ଥାନ ନଷ୍ଟ ହୋଇ ଯାଉଥିବାରୁ ସେମାନେ ଉଚ୍ଚ କୋଠାର ଛାତ, ପାଣିଟାଙ୍କି ତଳେ ଓ ଫ୍କାକ୍ଟ୍ରିର ଲୁହା ରଡ଼ରେ ବାସ କରିଥାନ୍ତି ।
- ଫେଣାର ଲମ୍ବ ପ୍ରାୟ 60 ସେ.ମି.ରୁ 1500 ସେ.ମି. ଓ ଓସାର 30 ସେ.ମି. ରୁ 90 ସେ.ମି. ପର୍ଯ୍ୟନ୍ତ ହୋଇଥାଏ । ଏହି ମହୁମାଛି ସବୁ କିସମର ମହୁମାଛିଙ୍କ ଠାରୁ ଆକାରରେ ବଡ଼ ଅଟେ ।
- ବାଘୁଆ ମହୁମାଛିମାନଙ୍କ ସ୍ୱଭାବ ଅନ୍ୟ ମାଛିଙ୍କ ଠାରୁ ଭିନ୍ନ । ତେଣୁ ଏମାନେ ହିଂସ୍ର ଓ ଅସ୍ଥିର ପ୍ରକୃତିର । ସାମାନ୍ୟ ଅସୁବିଧା ହେଲେ ଏହି ଜାତିର ମାଛିମାନେ ନଜର ବସା ଛାଡ଼ି ପଳାଇ ଯାଆନ୍ତି । ଯେତେବେଳେ ଖାଦ୍ୟ ସ୍ରୋତ ପରିମାଣ କମ ହୋଇଯାଏ ସେତେବେଳେ ମଧ୍ୟ ଏମାନେ ସ୍ଥାନାନ୍ତରିତ ହୋଇ ଯାଆନ୍ତି । ତେଣୁ ଏ କିସମର ମାଛି ସଞ୍ଚିତ ମହୁ ଫେଣାକୁ ମହମ ମୁଦଦେଇ ବନ୍ଦ କରନ୍ତି ନାହିଁ, ଫଳରେ ଏମାନଙ୍କ ଦ୍ୱାରା ସଂଗୃହିତ ମହୁ ନିମ୍ନମାନର ହୋଇଥାଏ ।
- ଏହି ଜାତିର ମହୁମାଛିମାନଙ୍କ ଠାରୁ ପ୍ରତି ଫେଣାକୁ 10 ରୁ 30 କି.ଗ୍ରା. ପର୍ଯ୍ୟନ୍ତ ମହୁ ମିଳିଥାଏ । ମହୁମାଛିମାନଙ୍କୁ ଧୂଆଁ ଦେଇ ଉଡ଼ାଇବା ପରେ ଛତାରୁ ମହୁ ନିଗାଡ଼ି ବ୍ୟବହାର କରାଯାଇଥାଏ ।
- ଫସଲ ପରାଗ ସଙ୍ଗମରେ ଏହି ବାଘୁଆ ମହୁମାଛିଙ୍କ ଭୂମିକ୍ ଅତି ଗୁରୁତ୍ୱପୂର୍ଣ୍ଣ ।
ଡ଼ାଳି ବା ବିଞ୍ଚିଣୀ ମହୁମାଛି ( Apis florea)
- ଏହି ମାଛି ଗୁଡ଼ିକ ଇଷତ୍ ଲାଲ୍ ଓ ବାଦାମୀ ରଙ୍ଗର ଏବଂ ଏମାନଙ୍କ ଦେହରେ ଅଦଳବଦଳ କଳା ଧଳା ଦାଗ ଥାଏ ।
- ଏମାନେ ଲମ୍ବାରେ 6-8 ମିଲି.ମି. ଓ ଉଚ୍ଚତାରେ 3 ମିଲି.ମି ।
- ଏମାନେ ବାଘୁଆଙ୍କ ଭଳି ବାହାରେ ବସା ବାନ୍ଧି ରହିବାରେ ଅଭ୍ୟସ୍ତ ହୋଇଥିବାରୁ ବାଉଁଶ ବୁଦା କିମ୍ବା ଛୋଟ ଗଛମାନଙ୍କର ଡ଼ାଳରେ ଦଳକୁ ଝୁଲାଇ ଗୋଟିଏ ଫେଣା ଗଢନ୍ତି ।
- ଫେଣାଟି ଲମ୍ବରେ 10 ସେ.ମି. ରୁ 45 ସେ.ମି. ଓ ଓସାରରେ 15 ସେମି ରୁ 30 ସେମି. ପର୍ଯ୍ୟନ୍ତ ହୋଇଥାଏ ।
- ଏମାନେ ବାଘୁଆଙ୍କ ଭଳ ହିଂସ୍ରନହେଲେ ମଧ୍ୟ ଗୋଟିଏ ସ୍ଥାନରେ 5-6 ମାସରୁ ବେଶି ସମୟ ରହନ୍ତି ନାହିଁ ।
- ଏମାନେ କମ୍ ପରିମାଣରେ (ବସା ପ୍ରତି 200-250 ଗ୍ରା) ମହୁ ସଞ୍ଚୟ କରିଥିବାରୁ ଓ ଯାଯାବର ଶ୍ରେଣୀର ହୋଇଥିବାରୁ ଏମାନଙ୍କୁ ବାକ୍ସରେ ପୋଷିବା ସହଜ ନୁହେଁ ।
- ମାତ୍ର ପରାଗ ସଙ୍ଗମର ଉପକାରିତା ପାଇଁ ଏମାନଙ୍କ ସଂରକ୍ଷଣ ଏକାନ୍ତି ଆବଶ୍ୟକ ।
ସାତଫେଣୀ ବା ସପ୍ତଫେଣୀ ମହୁମାଛି (Apis cerana indica )
- ଏମାନେ ଦେଖିବାକୁ ହଳଦିଆ ଯୁକ୍ତ ବାଦାମି ରଙ୍କର ।
- ଲମ୍ବରେ ପ୍ରାୟ 12 ରୁ 14 ମିଲି.ମି. ଏବଂ ଉଚ୍ଚତାରେ 5ରୁ 5.5 ମି.ମି. ।
- ଏମାନେ ଗଛ କୋରଡ଼, ଉଇହୁଙ୍କା, କଳସୀ, ହାଣ୍ଡି ପ୍ରଭୃତି ଅନ୍ଧାରିଆ ସ୍ଥାନରେ ବିଯୋଡ଼ ସଂଖ୍ୟକ ଫେଣା ଗଢ଼ି ଅନେକ ଦିନ ପର୍ଯ୍ୟନ୍ତ ରହି ଯଥେଷ୍ଟ ପରିମାଣ ମହୁ ସଞ୍ଚୟ କରିଥିବାରୁ କେବଳ ଏହି ମାନଙ୍କୁ ପାଳନ କରାଯାଇ ମହୁଚାଷ ହୋଇ ଆସୁଅଛି ।
- ପାର୍ବତ୍ୟାଞ୍ଚଳରେ ରହୁଥିବା ଏହି କିସମର ମାଛି ଆକାରରେ ସାମାନ୍ୟ ବଡ଼ ଓ ଗାଢ ମାଟିଆ ରଙ୍ଗର ବା କଳା ରଙ୍ଗର ।
- ଏହି ଜାତିର ମହୁମାଛିମାନଙ୍କର ଭାରତ ବର୍ଷରେ ତିନୋଟି ସ୍ୱରୂପ ଅଛି ।
- ଏହି ମହୁମାଛିର ସ୍ୱଭାବ ଅଧିକ ଶବ୍ଦ କରିବା ଯାହା ପାଶ୍ଚାତ୍ୟ ମହୁମାଛି ପରି ଅଟେ ।
- ଭାରତରେ ଦୁଇ ପ୍ରକାର ସାତଫେଣାୀ ମହୁମାଛି ଦେଖାଯାନ୍ତି । 1) ସମତଳ ଶ୍ରେଣୀ, 2) ପାର୍ବତ୍ୟ ଶ୍ରେଣୀ ।
- ପାର୍ବତ୍ୟ ମହୁମାଛିମାନେ ସମତଳ ମହୁମାଛିମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ହଳଦିଆ ରଙ୍ଗର ।
- ଏମାନେ ହିଂସ୍ର ଓ ଅଧିକ ମହୁ ସଞ୍ଚୟକାରୀ ।
- ଅପେକ୍ଷାକୃତ ପ୍ରାକୃତିକ ଓ ପାର୍ବତ୍ୟ ଅଞ୍ଚଳର ଜଳବାୟୁରେ ଏମାନେ ଫେଣାବାନ୍ଧି ରହିବା ପସନ୍ଦ କରନ୍ତି ।
- ଏହି ଜାତିର ମହୁମାଛିମାନଙ୍କଠାରେ ସ୍ଥାନ ପରିବର୍ତ୍ତନର ପ୍ରବଳ ମାତ୍ରାରେ ପ୍ରବୃତ୍ତି ରହିଛି ।
- ଅଳ୍ପ ଅସୁବିଧା ବା ଖାଦ୍ୟର ପରିମାଣ କମ୍ ହୋଇଗଲେ ଏମାନେ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଆନ୍ତି ।
- ଭାରତ ବର୍ଷରେ ଏହି ମହୁମାଛିଙ୍କ ଦ୍ୱାରା ହାରାହାରି ଦଳପିଛା 3 ରୁ 5 କି.ଗ୍ରା ମହୁ ଉତ୍ପାଦନ ହୋଇଥାଏ କିନ୍ତୁ କାଶ୍ମୀରରେ ଏହି ଜାତିର ମହୁମାଛିଙ୍କୁ ଠାରୁ 10-20 କି.ଗ୍ରା ପର୍ଯ୍ୟନ୍ତ ମହୁ ଉତ୍ପାଦନ ହୋଇଥାଏ ।
ନିକୁଟି ମହୁମାଛି (Dammer bees )
- ଏମାନେ ଦେଖିବାକୁ କଳା ରଙ୍ଗରେ ।
- ଲମ୍ବରେ 3ମି.ମି. ଓ ଉଚ୍ଚରେ ପ୍ରାୟ 1 ମି,ମି, ।
- ଏମାନେ କାନ୍ଥ ଫାଟ, ବାଉଁଶ ନଳୀ, ଗଛର କ୍ଷୁଦ୍ର କ୍ଷୁଦ୍ର ଫାଟମାନଙ୍କରେ ବସା ବାନ୍ଧନ୍ତି । ଏମାନଙ୍କର ନିର୍ଦ୍ଦିଷ୍ଟ ଆକାରର ଫେଣା ନାହିଁ । ଛୋଟ ମାଠିଆ ଭଳି ପାତ୍ର ତିଆରି କରି ସେଥିରେ ମହୁ ରଖନ୍ତି ।
- ଏମାନଙ୍କ ଦ୍ୱାରା ସଂଗୃହୀତ ମହୁର ସ୍ୱାଦ ଖଟା ଲାଗେ ମାତ୍ରା ପାଚିଲା ପଣସ ଭଳି ସୁଗନ୍ଧଯୁକ୍ତ ।
- ଏମାନେ ଛୋଟ ଫୁଲରୁ ମହୁ ସଂଗ୍ରହ କରନ୍ତି ଏବଂ ଏହି ମହୁର ଔଷଧୀୟଗୁଣ ଅଧିକ ଓ ଦାମ ମଧ୍ୟ ଅଧିକ ।
- ଏହି ମହୁମାଛି ଦଳରୁ ହାରାହାରି 200-300 ଗ୍ରାମ ମହୁ ଅମଳ ହୋଇଥାଏ ।
ଇଟାଲିଆନ୍ ମହୁମାଛି (Apis mellifera )
- ବିଦେଶରୁ ଅଣାଯାଇ ଭାରତରେ ଚାଷ କରାଯାଇପାରୁଥିବା ପାଶ୍ଚାତ୍ୟ ବା ଇଟାଲିଆନ ମହୁମାଛି ବା ଆପି ମେଲିଫେରା ବାଣିଜ୍ୟ ଭିତ୍ତିକ ମହୁମାଛି ପାଳନ ପାଇଁ ଅତୀବ ଉପଯୋଗୀ ।
- ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଏ. ଏଲ. ଅଟୱାଲ ଏବଂ ଡଃ. ଓ.ପି. ଶର୍ମାଙ୍କ ଅକ୍ଳାନ୍ତ ଉଦ୍ୟମ ଫଳରେ ପଞ୍ଜାବର ଲୁଧିଆନା ଓ ହରିୟାଣାର ନାଗ୍ରୋଟା ଠାରେ 1972 ମସିହାରେ ଏହି ମହୁମାଛିକୁ ସଫଳତାର ସହ ପାଳନ କରାଯାଇ ପାରିଥିଲା ।
- ପରେ ଅନେକ ତର୍କ ବିତର୍କକୁ ସମାଧାନ କରି ଭାରତ ସରକାରଙ୍କ ଠାରୁ ସ୍ୱୀକୃତି ପାଇଲା ପରେ 1980 ମସିହାରୁ ଅନ୍ୟ ରାଜ୍ୟରେ ଏହି ମହୁମାଛି ପାଳନ କରାଯାଇଥିଲା ।
- ବର୍ତ୍ତମାନ ଏହା ପଞ୍ଜାବ, ହରିଅଣା, ହିମାଚଳ ପ୍ରଦେଶ, ବିହାର, ଜାମୁ କାଶ୍ମୀର ଇତ୍ୟାଦି ରାଜ୍ୟରେ ବହୁଳ ଭାବେ ଚଷ କରାଯାଉଅଛି ।
- 1990 ମସିହାରେ ଏହା ପ୍ରଥମେ ପଞ୍ଜାବର ଲୁଧିଆନାରୁ ଆମ ରାଜ୍ୟକୁ ଅଣାଯାଇଥିଲା ଓ 2010 ସୁଦ୍ଧା ସୁନ୍ଦରଗଡ଼, କୋରାପୁଟ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ 510 ଟି ଦଳ ସଫଳତାର ସହ ପାଳନ କରାଯାଇଥିଲା ।
- ଏହି ଆପିସ୍ ମେଲିଫେରା ମାଛି ଆକାରରେ ବାଘୁଆ ମାଛିଠାରୁ ଛୋଟ ଓ ସପ୍ତଫେଣୀ ମହୁମାଛି ଠାରୁ ବଡ଼ ।
- ଦେଖିବାକୁ ହଳଦିଆ ବର୍ଣ୍ଣର ଦେହ ମୋଟା ଓ ଲୋମଶ ।
- ସପ୍ତଫେଣୀ ମହୁମାଛି ତୁଳନାରେ ଏମାନେ ଶାନ୍ତ ପ୍ରକୃତିର, ବସା ତ୍ୟାଗ କରିଯିବା ପ୍ରବୃତ୍ତି କମ୍, ମହମ ଶଲଭର ଆକ୍ରମଣରୁ ବର୍ତ୍ତି ଯାଇଥାନ୍ତି, ସ୍ୱାର୍ମଂ ପ୍ରବୃତ୍ତି ମଧ୍ୟ କମ୍ ।
- ବର୍ଷକୁ ହାରାହାରି ବାକ୍ସ ପିଛା 30-40 କି.ଗ୍ରା. ମହୁ ଅମଳ ମିଳିଥାଏ । ସୁପରିଚାଳନା କଲେ ଆହୁରି ଅଧିକ ଅମଳ ମଧ୍ୟ ମଳିଥାଏ ।