ଦଳ ବିକ୍ରୟ ବ୍ୟବସାୟ କରିବାକୁ ଇଚ୍ଛୁକ ବ୍ୟକ୍ତି ମୁଖ୍ୟତଃ ଦଳ ବିଭାଜନ ବା ବହୁରାଣୀ ପ୍ରସ୍ତୁତ ପ୍ରଣାଳୀ ଉପରେ ନିର୍ଭର କରନ୍ତି । ଆମେ ଉଭୟ ସପ୍ତଫେଣୀ ଓ ପାଶ୍ଚାତ୍ୟା ମହୁମାଛିର ଦଳ ବିଭାଜନ କରିପାରିବା ।
ମହୁମାଛି ଦଳ ଉତ୍ପାଦନ କରିବାକୁ ହେଲେ ମହୁମାଛି ନର୍ସରୀ ସ୍ଥାପନ ଏକାନ୍ତ ଆବଶ୍ୟକ । ମହୁମାଛି ନର୍ସରୀ ସ୍ଥାପନା ପାଇଁ ଉପଯୁକ୍ତ ସ୍ଥାନର ଆବଶ୍ୟକତା ରହିଛି । ତେଣୁ ସେଭଳି ସ୍ଥାନ ଚୟନ ବାଞ୍ଛନୀୟ । ଏତଦବ୍ୟତୀତ ଆଗ୍ରହୀ ଚାଷୀର ମହୁମାଛି ପାଳନ ତଥା ଋତୁ ଅନୁସାରେ ମହୁମାଛିର ରକ୍ଷଣାବେକ୍ଷଣ ଉପରେ ଅଭିଜ୍ଞ ହେବା ଆବଶ୍ୟକ ।
ଏଥି ନିମନ୍ତେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନଦେବା ଆବଶ୍ୟକ
- ପ୍ରତି 7-10 ଦିନରେ ପ୍ରତ୍ୟେକ ବାକ୍ସକୁ ପରୀକ୍ଷାକରି ଆବଶ୍ୟକ ସ୍ଥଳେ ତଳପଟା ସଫା କରିବା ଦ୍ୱାରା ମାଛି ଦଳର କାର୍ଯ୍ୟକଳାପ ଓ ସ୍ୱାସ୍ଥ୍ୟ ଜାଣିବା ସହିତ ମହମ ଶଲଭ ଆକ୍ରମଣରୁ ସୁରକ୍ଷା ମିଳେ ।
- ନର୍ସରୀ ଥିବା ଦଳଗୁଡ଼ିକୁ ସଦାସର୍ବଦା ସବଳଦଳ କରି ରଖିବା ପ୍ରୟୋଜନ । ଏଥିପାଇଁ ଆବଶ୍ୟକ ହେଲେ ଦୁର୍ବଳ ଦଳ ଗୁଡ଼ିକର ମିଶ୍ରଣ କରିବା ସହିତ ନିୟମିତ ବ୍ୟବଧାନରେ ବର୍ଷାଦିନେ ଅଭାବି ଖାଦ୍ୟ (Dearth feeding), ଶୀତଦିନେ ଉତେଜକ ଖାଦ୍ୟ (Stimulant feeding), ଗ୍ରୀଷ୍ମ ଦିନେ ଅତିରିକ୍ତ ଖାଦ୍ୟ (Supplementary feeding) ଦେବା ଆବଶ୍ୟକ । ଉପରୋକ୍ତ କୃତ୍ରିମ ଖାଦ୍ୟ ଗୁଡ଼ିକ ଦେଲାବେଳେ ନିର୍ଦ୍ଧାରିତ ଉପାୟରେ ଖାଦ୍ୟ ଦେବା ସହ ସତର୍କତା ଅବଲମ୍ବନ କରିବାକୁ ହେବ ।
- ସବଳଦଳ ଗୁଡ଼ିକରେ ଶାବକ କକ୍ଷରେ ଦୁଇଟି ସମ୍ପୂର୍ଣ୍ଣ ମାଛି ଆଚ୍ଛାଦିତ ଫେଣା ମାଧ୍ୟମରେ ଖାଲି ଫ୍ରେମ ସ୍ଥାପନକରି ମାଛିଙ୍କୁ ନୂଆ ଫେଣା କରିବା ପାଇଁ ପ୍ରଭାବିତ କରିବା ଦରକାର । ପ୍ରତି ବାକ୍ସରେ 3-4 ନୂଆଫେଣା ସୃଷ୍ଟିକରି କଡ଼ରେଥିବା ପୁରୁଣା ଫେଣାଗୁଡ଼ିକ ଧୀରେ ଧୀରେ ବାହାର କରିଦେଲେ ରାଣୀ ମାଛି ନୂଆ ଫେଣାରେ ଅଣ୍ଡାଦେଇ ଶିଘ୍ର ବଂଶ ବୃଦ୍ଧି ଘଟାଇଥାଏ ।
- ନିର୍ଦ୍ଧାରିତ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରି ଦଳରେ କମ୍ ବୟସର ବହୁପ୍ରସୂ ଓ ସୁସ୍ଥ ରାଣୀର ପୋଷଣ ତଥା ରକ୍ଷଣାବେକ୍ଷଣ ଦ୍ୱାରା ଦଳ ସୁସ୍ଥ ସବଳ ହୋଇଥାଏ ଓ ବାହ୍ୟଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରହିଥାଏ ।
- ଦଳ ବିଭାଜନ ପୂର୍ବରୁ ଉନ୍ନତ ମାନର ଦଳ ଚୟନ ବହୁତ ଜରୁରୀ । ସୁସ୍ଥା, ସବଳ, ସକ୍ରୀୟ, ଅଧିକ ଅମଳକ୍ଷମ ଏବଂ ଶାନ୍ତ ପ୍ରବୃତ୍ତି ଥିବା ଦଳ ଚୟନ କରି ଉକ୍ତ ଦଳଗୁଡିକୁ ବିଭାଜନ ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ।
ଦଳ ବିଭାଜନର ସମୟ
- ସାଧାରଣତଃ ଜାନୁଆରୀ-ଫେବୃଆରୀ ମାସରେ ମହୁମାଛି ସଂଖ୍ୟା ବଢି ବାକ୍ସରେ ସ୍ଥାନାଭାବ ହେବା ସହିତ ଉତ୍ତାପ ବୃଦ୍ଧି ହେବା ଜଣିଲେ ରାଣୀମାଛି ବାନ୍ଧ୍ୟା ଅଣ୍ଡାଦେଇ ପୁରୁଷ ମାଛି ତିଆରି କରେ ।
- ପୁରୁଷ ମାଛି ଗୁଡ଼ିକ ବିଶେଷକରି ଅପରାହ୍ନରେ ବାକ୍ସ ଚାରିକଡ଼େ ଉଡ଼ି ବୁଲନ୍ତି । ବାକ୍ସରେ ବହୁ ସଂଖ୍ୟାରେ ପୁରୁଷ ମାଛିଙ୍କ ଉପସ୍ଥିତି ପ୍ରାକୃତିକ ଦଳ ବିଭାଜନ ବା ସ୍ୱର୍ମିଂର ସୂଚନା ଦିଏ । ଏହି ସମୟରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ବା ଦଳ ବିଭାଜନ ନକଲେ ବାକ୍ସ ମଧ୍ୟରୁ ଅଧାଅଧି ମାଛିଙ୍କୁ ନେଇ ପୁରୁଣା ରାଣୀ ଅନ୍ୟ ଏକ ଦଳ ଗଠନ କରିବା ସହିତ, ବାକ୍ସରେ ନୂଆ ରାଣୀ ବାହାରି ସେ ତାର ଦଳ ଗଠନ କାର୍ଯ୍ୟରେ ଲାଗିଥାଏ ।
- ତେଣୁ ରାଣୀ ଓ ପୁରୁଷ ମାଛି ମିଳନ ପାଇଁ ଅନୁକୂଳ ପାଗ, ଦଳରେ ମିଳନ ଉପଯୋଗୀ ପ୍ରାପ୍ତ ବୟସ ପୁରୁଷ ମାଛି, ଫେଣାରେ ରାଣୀ ସୃଷ୍ଟି ପାଇଁ ଉପଯୁକ୍ତ ଅଣ୍ଡା ବା କର୍ମୀ ମାଛିଙ୍କ ଦ୍ୱାରା ପ୍ରସ୍ତୁତ ରାଣୀ ଖୋପ ଥିଲେ ସେହି ସମୟରେ ଦଳ ବିଭାଜନ କରିବା ଉଚିତ୍ ।
- ପୁନଶ୍ଚ ପ୍ରାତଃ କାଳଠାରୁ ସନ୍ଧ୍ୟା ମଧ୍ୟରେ ଯେକୌଣସି ସମୟରେ ଯଦିଓ ଦଳ ବିଭାଜନ ସମ୍ଭବ ତଥାପି ପୂର୍ବାହ୍ନରେ ଯେତେବେଳେ ଅଧିକାଂଶ ମାଛି ଖାଦ୍ୟ ସଂଗ୍ରହ ପାଇଁ ବାହାରକୁ ଯାଇଥିବେ ସେ ସମୟ ଦଳ ବିଭାଜନ ପାଇଁ ପ୍ରକୃଷ୍ଟ ।
ଦଳ ବିଭାଜନ ପାଇଁ ଆବଶ୍ୟକୀୟ ଉପକରଣ
ଦଳ ବିଭାଜନ ପାଇଁ
- ଏକ ନ୍ୟୁକ୍ଲିୟସ ବାକ୍ସ ବା ଅନ୍ୟ ଏକ ବାକ୍ସ (କେବଳ ଶାବକ କକ୍ଷ ବିଶିଷ୍ଟ) ।
- ଏତଦବ୍ୟତୀତ ଆନୁସଙ୍ଗିକ ଉପକରଣ ଭାବରେ ମୁହଁ ଢାଙ୍କୁଣୀ, ଧୂଆଁନଳୀ, ଛୁରୀ ଓ 2 ଟି ମୋଟା ରୁମାଲ ଆବଶ୍ୟକ ହୋଇଥାଏ ।
ଦଳ ବିଭାଜନ ପ୍ରଣାଳୀ
ଦଳ ବିଭାଜନ ପ୍ରଣାଳୀର ମୂଳତତ୍ତ୍ୱ (Basic Principle) ଯଦିଓ ସମାନ, ତଥାପି ବାକ୍ସରେ ଥିବା ମହୁମାଛିଙ୍କ ସ୍ଥିତି ଓ ପାରିପାର୍ଶ୍ୱିକ ଅବସ୍ଥାକୁ ଦୃଷ୍ଟିରେ ରଖି ଦଳ ବିଭାଜନ କୌଶଳରେ କିଛିଟା ଅଦଳବଦଳ କରାଯାଇଥାଏ ।
ପ୍ରଥମ ପ୍ରଣାଳୀ (ଯଦି ମହୁବାକ୍ସରେ ପୁରୁଷ ମାଛି ଥାଇ ରାଣୀ ଖୋପ ମଧ୍ୟ ସୃଷ୍ଟି ହୋଇ ସାରିଥାଏ)
ଯଦି ମହୁବାକ୍ସରେ ପୁରୁଷ ମାଛି ଥାଇ ରାଣୀ ଖୋପ ମଧ୍ୟ ସୃଷ୍ଟି ହୋଇ ସାରିଥାଏ, ସେ କ୍ଷେତ୍ରରେ
ଷ୍ଟେପ-1) ପ୍ରଥମେ ପୁରୁଣା ବାକ୍ସ ପାଖରେ ନୂଆ ନ୍ୟୁକ୍ଲିଅସ ବାକ୍ସକୁ ରଖି ପୁରୁଣା ବାକ୍ସକୁ ରାଣୀ ସହିତ ଦୁଇଟି ଅଣ୍ଡା ଓ ଶାବକ ଥିବା ଫେଣା ନ୍ୟୁକ୍ଲିଅସ ବାକ୍ସରେ ରଖିବାକୁ ପଡ଼େ ।
ଷ୍ଟେପ-2) ତାପରେ ପୁରୁଣା ବାକ୍ସରୁ ଆଉ ଏକ ଖାଦ୍ୟଥିବା ଫେଣାକୁ ମଧ୍ୟ ନ୍ୟୁକ୍ଲିଅସ ବାକ୍ସରେ ରଖି ନ୍ୟୁକ୍ଲିଅସ୍ ବାକ୍ସକୁ କିଛି ସମୟପାଇଁ ପୁରୁଣା ବାକ୍ସ ସ୍ଥାନରେ ଓ ରାଣୀ ଖୋପ ଥିବା ଫେଣା ସହ ପୁରୁଣା ବାକ୍ସକୁ ନ୍ୟୁକ୍ଲିଅସ ବାକ୍ସ ପାଖରେ ରଖିବାକୁ ପଡ଼େ । ଏପରି କରିବା ଦ୍ୱାରା ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିବା ମାଛିମାନେ ନ୍ୟୁକ୍ଲିଅସ ବାକ୍ସରେ ପ୍ରବେଶ କରିବେ ।
ଷ୍ଟେପ-3) ନ୍ୟୁକ୍ଲିଅସ ବାକ୍ସରେ ଯଥେଷ୍ଟ କର୍ମୀମାଛି ହୋଇଗଲେ, ତାର ପ୍ରବେଶ ଦ୍ୱାରାକୁ ଭଲଭାବେ ବନ୍ଦ କରି 1-1.5 କି.ମି. ଦୂରକୁ ନେଇ ରଖି ତାର ମୁହଁ ଖୋଲି ଦେବାକୁ ପଡ଼େ ।
ଷ୍ଟେପ-4) ଫେଣା ଗୁଡ଼ିକ ଅଦଳ ବଦଳ କଲାବେଳେ ବାକ୍ସ ଦୁଇଟିକୁ 2ଟି ମୋଟା ରୁମାଲ ଦ୍ୱାରା ଢାଙ୍କି ବା ଆଦୃତ କରି କାର୍ଯ୍ୟ କରିବା ଉଚିତ୍ ।
ଷ୍ଟେପ-5) ନ୍ୟୁକ୍ଲିଅସ ବାକ୍ସକୁ ଦୂରକୁ ନେବା ପୂର୍ବରୁ ରାଣୀଖୋପ ଥିବା ବାକ୍ସକୁ ତା ପୁରୁଣା ସ୍ଥାନରେ ରଖିଦେଲେ ଖାଦ୍ୟ ସଂଗ୍ରହ କରିବାକୁ ଯାଇଥିବା ଅବଶିଷ୍ଟ ମାଛି ପୁରୁଣା ବାକ୍ସରେ ରହି ଦଳ ଗଠନରେ ସାହାଯ୍ୟ କରନ୍ତି ଓ କିଛିଦିନ ଭିତରେ ନୂଆ ରାଣୀ ବାହାରି ସଙ୍ଗମ ସାରି ବାକ୍ସରେ ଅଣ୍ଡାଦେବା ଆରମ୍ଭ କରିଦିଏ ।
ଷ୍ଟେପ-6) ନ୍ୟୁକ୍ଲିଅସ ବାକ୍ସ ବଦଳରେ ଯଦି ଶାବକ କକ୍ଷ ଥିବା ବାକ୍ସ ବ୍ୟବହାର କରିବାକୁ ପଡ଼େ ତେବେ ପ୍ରବେଶ ଦ୍ୱାର ପଟେ ମାଛି ଥିବା ଫେଣାକୁ ରଖି ତାପରେ ଡମିବୋର୍ଡ଼ ଦେବା ଆବଶ୍ୟକ ଓ ଭିତର ପଟେ ଖାଲି (ଫେଣା ନଥିବା) ଫ୍ରେମ୍ ଗୁଡ଼ିକୁ ରଖିବାକୁ ପଡ଼େ ।
ଦ୍ୱିତୀୟ ପ୍ରଣାଳୀ (ସବଳ ଓ ପୁରୁଷ ମାଛି ଥିବା ଦଳରେ ରାଣୀଖୋପ ନଥିଲେ ବା ଆରମ୍ଭ ହେବା ସ୍ଥିତିରେ ଥିଲେ)
ଷ୍ଟେପ-1) ଦଳ ବିଭାଜନକୁ ସାମାନ୍ୟ ତ୍ୱରାନ୍ୱିତ କରିବା ପାଇଁ ସବଳ ଓ ପୁରୁଷ ମାଛି ଥିବା ଦଳରେ ରାଣୀଖୋପ ନଥିଲେ ବା ଆରମ୍ଭ ହେବା ସ୍ଥିତିରେ ଥିଲେ ରାଣୀ ନିରୋଧକ ଜାଲି ବ୍ୟବହାର କରି କର୍ମିମାଛିଙ୍କୁ ରାଣୀଖୋପ ସୃଷ୍ଟି ପାଇଁ ପ୍ରଭାବିତ କରାଯାଇପାରେ ।
ଷ୍ଟେପ-2) ଏଥି ନିମନ୍ତେ ଶାବକ କକ୍ଷ ବିଶିଷ୍ଟ ଗୋଟିଏ ବାକ୍ସକୁ ନେଇ ପୁରୁଣା ବାକ୍ସ ପାଖରେ ରଖିବାକୁ ପଡ଼େ ।
ଷ୍ଟେପ-3) ତାପରେ ପୂର୍ବବତ୍ ଦୁଇଟି ଶାବକ ଥିବା ଫେଣା ଓ ଗୋଟିଏ ଖାଦ୍ୟ ଥିବା ଫେଣା ସହ ରାଣୀ ମାଛିକୁ ନୂଆ ବାକ୍ସରେ ରଖିବାକୁ ହୁଏ ।
ଷ୍ଟେପ-4) ତାପରେ ପୁରୁଣା ବାକ୍ସ ଉପରେ ରାଣୀ ନିରୋଧକ ଜାଲିକୁ ରଖି ତା ଉପରେ ନୂଆ ବାକ୍ସଟିକୁ ରଖିବାକୁ ହୁଏ । ଏହା କରିବା ଦ୍ୱାରା ତଳଥାକରେ ନୂଆ ରାଣୀ ସୃଷ୍ଟି ହୁଏ ।
ଷ୍ଟେପ-5) ଏହାପରେ ଦଳ ଦୁଇଟିକୁ ଅଲଗା କରି ଗୋଟିଏ ଦଳକୁ 1 କି.ମି. ଦୂରକୁ ନେବାକୁ ହୁଏ । ଉକ୍ତ ଦଳକୁ ଦୂରକୁ ନେବା ପୂର୍ବରୁ ସେଥିରେ ଯଥେଷ୍ଟ ଖାଦ୍ୟ ସଂଗ୍ରହକାରୀ କର୍ମୀ ମହୁମାଛି ଥିବା ଆବଶ୍ୟକ ।
ତୃତୀୟ ପ୍ରଣାଳୀ-
ବାକ୍ସର ପ୍ରବେଶ ଦ୍ୱାରର ବିପରୀତ ପଟେ 3 ଟି ଫେଣା ପରେ ସିଧା ଦଣ୍ଡାୟମାନ (Vertical) ରାଣୀ ନିରୋଧକ ଜାଲି ଦ୍ୱାରା ରାଣୀକୁ ଆବଦ୍ଧ କରି ପ୍ରବେଶ ଦ୍ୱାର ପଟେ ଥିବା ଫେଣାରେ ନୂଆରାଣୀ ଖୋପ ସୃଷ୍ଟି କରାଇ ମଧ୍ୟ ଉପରୋକ୍ତ ପ୍ରଣାଳୀରେ ଦଳ ବିଭାଜନକୁ ତ୍ୱରାନ୍ୱିତ କରାଯାଇପାରେ ।
ଚତୁର୍ଥ ପ୍ରଣାଳୀ-
ବିଭାଜିତ ଦଳକୁ ଅଧିକ ଦୂରକୁ ସ୍ଥାନାନ୍ତରିତ କରିବାର ଅସୁବିଧା ଥିଲେ ପ୍ରଥମେ ପୁରୁଣା ବାକ୍ସ ପାଖରେ ନୂଆ ବାକ୍ସ ବା ନ୍ୟୁକ୍ଲିଅସ ବାକ୍ସ ରଖିବାକୁ ପଡ଼େ ।
ଷ୍ଟେପ-1) ପ୍ରଥମେ ପୁରୁଣା ବାକ୍ସର ଦୁଇଟି ଖାଲି ଫେଣାକୁ ନ୍ୟୁକ୍ଲିଅସ ବାକ୍ସରେ ରଖି ତାପରେ ଯଥେଷ୍ଟ ଶାବକ ଥିବା ଗୋଟିଏ ଫେଣା ସହିତ ରାଣାମାଛିକୁ ନେଇ ତା ମଝିରେ ରଖିବାକୁ ହୁଏ ।
ଷ୍ଟେପ-2) ଏହାପରେ ରାଣୀଥିବା ନ୍ୟୁକ୍ଲିଅସ ବାକ୍ସକୁ ପୁରୁଣା ସ୍ଥାନରେ ରଖି ରାଣୀଖୋପ, ଯଥେଷ୍ଟ ଶାବକ ଓ ଖାଦ୍ୟ ଥିବା ଫେଣା ସହିତ ପୁରୁଣା ବାକ୍ସକୁ 40-50 ଫୁଟ୍ ଦୂରେଇ ନିରାପଦସ୍ଥାନରେ ରଖିବାକୁ ହୁଏ ।
ଷ୍ଟେପ-3)ଏହା କରିବା ଦ୍ୱାରା ଖାଦ୍ୟ ସଂଗ୍ରହ ପାଇଁ ଯାଇଥିବା ମହୁମାଛି ସବୁ ନ୍ୟୁକ୍ଲିଅସ ବାକ୍ସକୁ ଆସିବା ଫଳରେ ସେ ଦଳର ମାଛି ସଂଖ୍ୟା ବୃଦ୍ଧି ଘଟେ ଓ ସେମାନେ ପୁଣି ଖାଦ୍ୟ ସଂଗ୍ରହ କରି ବଂଶ ବିସ୍ତାର କରନ୍ତି । ଅନ୍ୟ ବାକ୍ସରେ ନୂଆ ରାଣୀ ବାହାରି, ସଙ୍ଗମ ପରେ ସେ ଅନ୍ୟ ଏକ ଦଳରେ ପରିଣତ ହୁଏ ।
ସାବଧାନତା
- ଦଳ ବିଭାଜନ ପରେ, ଦଳକୁ ସ୍ଥାନାନ୍ତରିତ କରିବା ସମୟରେ ମହୁମାଛିର ସୁରକ୍ଷା ଦୃଷ୍ଟିରୁ ଫେଣାଗୁଡ଼ିକୁ ନ ଦୋହଲିବା ଭଳି ନିବୁଜ ପ୍ୟାକିଂ କରିବା ନିହାତି ଜରୁରୀ । ପ୍ରବେଶ ଦ୍ୱାର ମଧ୍ୟ ସ୍ଥାନାନ୍ତରିତ ସମୟରେ ନିବୁଜ ରହିବା ଆବଶ୍ୟକ ।
- ଦଳକୁ ସ୍ଥାନ୍ତରିତ କରି ନୂଆ ଜାଗାରେ ରଖିବା ପରେ ପ୍ରବେଶ ଦ୍ୱାରକୁ ଖୋଲିଦେବା ଆବଶ୍ୟକ । ସ୍ଥାନନ୍ତରିତ ସମୟରେ କିଛି ଅସୁବିଧା ଯୋଗୁଁ ରାଣୀ ମାଛି ଉଡ଼ିଯିବାର ଆଶଙ୍କ ଥିଲେ, 2-3 ଦିନ ପାଇଁ ପ୍ରବେଶ ଦ୍ୱାରରେ ରାଣୀ ଜାଲି ଦିଆଯାଇପାରେ ।
- ବିଭାଜନ ପରେ ରାଣୀ ଖୋପ ଥିବା ଦଳକୁ 2-3 ଦିନ ବ୍ୟବଧାନରେ ନୂଆ ରାଣୀ ସୃଷ୍ଟି ହୋଇ ଅଣ୍ଡା ଦେବାକୁ ଆରମ୍ଭ କଲାଣିକି ନାହିଁ ନିରୀକ୍ଷଣ କରିବା ଆବଶ୍ୟକ । ବାକ୍ସ ନିରୀକ୍ଷଣ କଲାବେଳେ ମାଛିଙ୍କୁ ଯେତେ କମ୍ ବିଚଳିତ କରାଯିବ ସେତେ ଉତ୍ତମ ।
- ନୂଆ ରାଣୀ ସୃଷ୍ଟିରେ ବ୍ୟାଘାତ ଅନୁଧ୍ୟାନ କଲେ ଯଥାଶୀଘ୍ର ସମ୍ଭବ ଅନ୍ୟ ଏକ ବାକ୍ସରୁ ଶାବକ ସହିତ ରାଣୀ ଖୋପ ଥିବା ଫେଣା ଆଣି ରଖିବା ଦ୍ୱାରା ଉକ୍ତ ଦଳକୁ ରାଣୀ ବିହୀନ ହେବାରୁ ରକ୍ଷା କରାଯାଇପାରେ ।
- ବିଭାଜିତ ଦଳର ମାଛି ସଂଖ୍ୟ ସବଳଦଳ ଅପେକ୍ଷା ଯଥେଷ୍ଟ କମ୍ ହୋଇଥିବାରୁ ଉକ୍ତ ଦଳକୁ ସବଳ ଦଳରେ ପରିଣତ କରିବା ପର୍ଯ୍ୟନ୍ତ ସୁପରିଚାଳନା କରିବା ସହିତ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ଆବଶ୍ୟକ ।
ଉପରୋକ୍ତ ଉପାୟ ସବୁ ଅବଲମ୍ବନ କରି ଆମ ଅଞ୍ଚଳର ଅନେକ ଅଭିଜ୍ଞ ଓ ସଫଳ ମହୁମାଛି ଚାଷୀ ବର୍ଷକ ମଧ୍ୟରେ ଗୋଟିଏ ଦଳରୁ ଅତିକମରେ 4-6 ଟି ନୂଆ ଦଳ କରି ମହୁ ଉତ୍ପାଦନ ଅପେକ୍ଷା ଅଧିକ ଲାଭବାନ ହୋଇଛନ୍ତି ।
ବହୁରାଣୀ ଉତ୍ପାଦନ
ମହୁମାଛି ଦଳର ସଫଳତା ଓ କାର୍ଯ୍ୟ କ୍ଷମତା ମୁଖ୍ୟତଃ ରାଣୀ ଉପରେ ନିର୍ଭର କରେ । ଦଳରେ ଅଧିକ ପ୍ରଜନନକ୍ଷମ ସୁସ୍ଥ ସବଳ ଓ କର୍ମ ତତ୍ପର ରାଣୀ ରହିବା ଏକାନ୍ତ ଆବଶ୍ୟକ । ତେଣୁ ଜଣେ ଆଗୁଆ ଚାଷୀ ମହୁମାଛି ଚାଷ ସହ ଓତୋପ୍ରତଃ ଭାବେ ଜଡ଼ିତ ହେଲେ ଦଳର ଆବଶ୍ୟକତା ଅନୁସାରେ ରାଣୀମାଛିକୁ ରଖିବ କିମ୍ବା ତା ସ୍ଥାନ ଦଳରେ ନୂଆ ରାଣୀକୁ ରଖିବ ସେ ସିଦ୍ଧାନ୍ତ ନେଇ ପାରିବ । ସେ କ୍ଷେତ୍ରରେ ଗୋଟିଏ ରାଣୀ ବ୍ୟାଙ୍କ ( Queen Bank) ରଖିବାକୁ ପଡ଼ିବ ଯାହା ବହୁରାଣୀ ଉତ୍ପାଦନ ଦ୍ୱାରା ସମ୍ଭବ ହୋଇଥାଏ । ସାଧାରଣଭାବେ କହିବାକୁ ଗଲେ ଦଳକୁ ସବଳ ରାଣୀଯୁକ୍ତ କରିବାକୁ, ରାଣୀ ବିହୀନ ଦଳକୁ ରାଣୀଯୁକ୍ତ କରିବାକୁ, ଦଳ ବିଭାଜନକୁ ତ୍ୱରାନ୍ୱିତ ଓ ସଫଳ କରିବା ପାଇଁ ଏବଂ ରୟାଲଜେଲି ଉତ୍ପାଦନ ପାଇଁ ବହୁରାଣୀ ଉତ୍ପାଦନ ପ୍ରଣାଳୀ ଉପଯୋଗ କରିବାକୁ ପଡ଼େ । ସେଥିପାଇଁ ମହୁମାଛି ପାଳନ ସମନ୍ଧରେ ଯଥେଷ୍ଟ ସାଧାରଣ ଜ୍ଞାନ ଓ ଅଭିଜ୍ଞତା ଆବଶ୍ୟକ । ପାଶ୍ଚାତ୍ୟ ମହୁମାଛି କ୍ଷେତ୍ରରେ ଯଦିଓ ଏହାର ବହୁଳ ଉପଯୋଗ ହେଉଅଛି ତଥାପି ସପ୍ତଫେଣୀମାଛି ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ।