- ଏଣିକି ମାସକୁ 2000, 80 ବର୍ଷରୁ ଉର୍ଦ୍ଧ୍ୱଙ୍କୁ 2500 ଟଙ୍କା
- ଉପକୃତ ହେବେ ରାଜ୍ୟର 80 ହଜାର କଳାକାର
- ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଆରମ୍ଭ
- ଖୁବଶୀଘ୍ର ହିତାଧିକାରୀ ଚୟନ କରାଯାଇ ସହାୟତା ପ୍ରଦାନ କରାଯିବ
- ଚଳିତ ମାସ 20 ରୁ 25 ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା
କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ତେଣୁ କଳାକାରମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା” ଆରମ୍ଭ କରିଛନ୍ତି ।
- ଏହି ଯୋଜନାରେ କଳାକାରଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା ଅନୁଯାୟୀ ହିତାଧିକାରୀମାନେ ଏବେ ମାସକୁ 1200 ପରିବର୍ତ୍ତେ 2000 ଟଙ୍କା ସହାୟତା ପାଇବେ ।
- 80 ବର୍ଷରୁ ଅଧିକ ବୟସର କଳାକାରମାନେ ମାସକୁ 2500 ଟଙ୍କା ଲେଖାଏଁ ସହାୟତା ପାଇବେ ।
- ଏହାଦ୍ୱାରା ରାଜ୍ୟର 80 ହଜାର କଳାକାର ଉପକୃତ ହେବେ ।
- ପୂର୍ବରୁ ଏହି ଯୋଜନାର 50 ହଜାର କଳାକାରଙ୍କୁ ମାସିକ 1200 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ 80 ହଜାରକୁ ବୃଦ୍ଧି କରାଯାଉଅଛି ।
- ଯାହାଦ୍ୱାରା ରାଜ୍ୟର ଅଧିକ 30 ହଜାର କଳାକାର ଉପକୃତ ହୋଇପାରିବେ ।
- ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ ଡ଼ିବିଟି ମାଧ୍ୟମରେ ଫେବୃଆରୀ ମାସ 20 ରୁ 25 ତାରିଖ ମଧ୍ୟରେ ପ୍ରଦାନ କରାଯିବ ।
- ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ 4, ଉପନିୟମ(2) ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି ।
- ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ ।
- ଏହା ଦ୍ୱାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବା ବୋଲି ଆଶା କରାଯାଉଛି
ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା
ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ । ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗରଙ୍କ ସୁରକ୍ଷା ଓ କଲ୍ୟାଣ ଉପରେ ଗୁରୁତ୍ୱକୁ ଦୃଷ୍ଟିରେ ରଖି “ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା” ଆରମ୍ଭ କରିଛନ୍ତି ।
- ଏହି ଯୋଜନାରେ 40 ରୁ 80 ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ, ହସ୍ତଶିଳ୍ପ କାରିଗର ଏବଂ 50 ରୁ 80 ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ 2000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
- ସେହିପରି 80 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗର (ଉଭୟ ମହିଳା ଓ ପୁରୁଷ)ଙ୍କୁ ମାସିକ 2500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଅଛି ।
- ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
- ରାଜ୍ୟରେ 1 ଲକ୍ଷ 25 ହଜାରରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ 1 ଲକ୍ଷ 50 ହଜାରରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି ।
- ପରିଣତ ବୟସରେ ବୁଣାକାର ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ “ବରିଷ୍ଠ ବୁଣାକାର ସହାୟତା ଯୋଜନା” ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗରମାନଙ୍କ ପାଇଁ କୌଣସି ଯୋଜନା ନଥିଲା ।
- ବୁଣାକାର ମାନେ 60 ରୁ 80 ବର୍ଷ ବୟସ ମଧ୍ୟରେ ମାସିକ 500 ଟଙ୍କାର ସହାୟତା ପାଉଥିବା ବେଳେ 80 ବର୍ଷ ବୟସ ମଧ୍ୟରେ ମାସିକ 700 ଟଙ୍କାର ସହାୟତା ପାଉଥିଲେ ।
ମାନଦଣ୍ଡ
- ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବା ପାଇଁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି ।
-
- ଏହ ମାନଦଣ୍ଡ ଅନୁଯାୟୀ ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ତାଲିକାରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବେ ପଞ୍ଜିକୃତ ହୋଇଥିବା ଆବଶ୍ୟକ ରହିଛି ।
- ଏହା ବ୍ୟତୀତ ତାଙ୍କର ପରିବାରର ବାର୍ଷିକ ଆୟ 1 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇନଥିବ ଓ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା କୌଣସି ଅନୁରୂପ ଯୋଜନାରେ ଲାଭାର୍ଥୀ ହୋଇନଥିବେ ।
- ସେହିପରି ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ ।
- ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ ।
- ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ ପ୍ରଦାନ କରାଯିବ ।
- ସେହିପରି ଏହି ଯୋଜନା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା କାର୍ଯ୍ୟ କରାଯିବ ।
- ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବ୍ରୁଆରୀ ମାସ 20 ରୁ 25 ତାରିଖ ମଧ୍ୟରେ ପ୍ରଦାନ କରାଯିବ ।
- ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶୀ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।