ମହୁ ମାନବ ସମାଜ ପାଇଁ ଇଶ୍ୱରଙ୍କର ଏକ ଅନନ୍ୟ ଅବଦାନ । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମହୁର ବ୍ୟବହାର ଓ ମହୁ ସଂଗ୍ରହକାରୀ ମହୁମାଛି ସମ୍ପର୍କରେ ତଥ୍ୟ ଆଦିମ କାଳରୁ ରଚିତ ହୋଇଥିବା ବେଦ ଓ ପୌରାଣିକ ଗ୍ରନ୍ଥରୁ ଦେଖିବାକୁ ମିଳେ । ପୂର୍ବେ ଜଙ୍ଗଲ, ପାହାଡ଼ ଓ ଗଛ କୋରଡ଼ ଇତ୍ୟାଦି ପ୍ରାକୃତିକ ପରିବେଶରୁ ମହୁ ସଂଗ୍ରହ କରିବାକୁ ପଡ଼ୁଥିଲା । ପ୍ରକୃତିରୁ ମହୁମାଛି ଦଳ ଧରି କୃତ୍ରିମ ଉପାୟରେ ତିଆରି ବାକ୍ସରେ ରଖି ବର୍ଷସାରା ତାକୁ ସୁଚାରୁରୂପେ ଲାଳନପାଳନ କରି ଅଧିକ ଓ ବିଶୁଦ୍ଧ ମହୁ ଉତ୍ପାଦନ କରିବାର ପ୍ରକ୍ରିୟାକୁ ମହୁମାଛି ପାଳନ କହନ୍ତି ।
ମହୁମାଛି ପାଳନ କରିବା କାହିଁକି କରିବା?
- ଆମ ରାଜ୍ୟର ଏକ ତୃତୀୟାଂଶରୁ ଅଧିକ ଭୌଗଳିକ ସ୍ଥାନ ଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜଙ୍ଗଲମାନଙ୍କରେ ପର୍ଯ୍ୟପ୍ତ ପରିମାଣରେ ମହୁମାଛି ଚରାବୃକ୍ଷ ଯଥା- ନିମ୍ବ, କରଞ୍ଜ, ଶିମିଳି, ତେନ୍ତୁଳି, ଶିରିଶ, ଜାମୁକୋଳି ଇତ୍ୟାଦି ରହିଛି, ଯାହାକି ମହୁମାଛି ପାଳନ ପାଇଁ ବହୁତ ସହାୟକ ।
- ମହୁମାଛି ଯେକୌଣସି ଜାଗାରେ ପାଳନ କରାଯାଇପାରେ । ଏଥିପାଇଁ ସ୍ୱତନ୍ତ୍ର ସ୍ଥାନ ବା ଜମିର ଆବଶ୍ୟ-କତା ନାହିଁ । ନିଜ ଘର ପରିସର ମଧ୍ୟରେ ଜଣେ ଚାଷୀ ସହଜରେ 8-10 ଟି ମହୁବାକ୍ସ ରଖିପାରିବେ । କିନ୍ତୁ ମହୁମାଛି ପାଇଁ ଯଥେଷ୍ଟ ଚରାବୃକ୍ଷ ଆଖପାଖ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଥିବା ଉଚିତ୍ ।
- ଥରେ ମହୁମାଛି ରଖିଲେ ଏଥିପାଇଁ ସାମୟିକ ଦୃଷ୍ଟି ଦେବାକୁ ପଡ଼ିଥାଏ । ଏଥିପାଇଁ ଅଧିକ ଖର୍ଚ୍ଚ କିମ୍ବା ଉନ୍ନତ ଯନ୍ତ୍ରପାତିର ଆବଶ୍ୟକତା ନାହିଁ ।
- ମହୁମାଛି ପାଳନ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମହୁବାକ୍ସ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବା ପାଇଁ ଅଳ୍ପ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଆଜିକାଲି ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ଯୋଜନା ଜରିଆରେ ରିହାତି ଦରରେ ମହୁବାକ୍ସ ଯୋଗାଇ ଦିଆଯାଉଛି ।
- ପରିବେଶ ଏବଂ ଜୈବବିବିଧତାର ସୁରକ୍ଷା ପାଇଁ ମହୁମାଛି ଚାଷ ଅତୀବ ସହାୟକ ।
- ଏହାର ଅନ୍ୟଏକ ବିଶେଷତ୍ୱ ହେଲା ଯେ, ଜାତି, ଧର୍ମ, ବର୍ଣ୍ଣ, ବୟସ, ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ଲିଙ୍ଗ ଇତ୍ୟାଦି ଭେଦରେ ଯେ କୌଣସି ବ୍ୟକ୍ତି ଚାହିଁବେ ସେ ମହୁମାଛି ପାଳନ କରିବେ ।
ସଫଳ ମହୁମାଛି ପାଳନ ପାଇଁ କେତେକ ମୌଳିକ ଆବଶ୍ୟକତା
- ମହୁମାଛି ପାଳନରେ ଯଥେଷ୍ଟ ଆଗ୍ରହ ଥିବା ଦରକାର ।
- ଧୌର୍ଯ୍ୟଧରି ମହୁମାଛି ପାଳନ କରିବାକୁ ହୁଏ ।
- ମହୁମାଛି ପାଳନ ପୂର୍ବରୁ ମହୁମାଛି ସମନ୍ଧରେ ସର୍ବନିମ୍ନ ଜ୍ଞାନ ଆହରଣ କରିବା ଆବଶ୍ୟକ ।
- ଏହି ସବୁ ନିମିତ୍ତ ମହୁମାଛି ପାଳନ ପ୍ରଶିକ୍ଷଣ ବା ତାଲିମ ନିହାତି ଆବଶ୍ୟକ ।
ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ପାଳନର ଆବଶ୍ୟକତା
- ମହୁମାଛିମାନେ ସହଜରେ ବଂଶ ବିସ୍ତାର କରିଥାନ୍ତି ।
- ମାଛିମାନଙ୍କର ରକ୍ଷଣାବେକ୍ଷଣ ସହଜ ହୋଇଥାଏ, ଫଳରେ ଫେଣା ଏବଂ ଶାବକମାନେ ନଷ୍ଟ ହୋଇନଥାନ୍ତି ।
- ଅଳ୍ପ ଦିନରେ ଅଧିକ ଓ ବିଶୁଦ୍ଧ ମହୁ ଏବଂ ମହମ ସଂଗ୍ରହ କରିବା ସମ୍ଭବ ହୋଇଥାଏ ।
- ସପ୍ତଫେଣୀ ମହୁମାଛିରୁ ପ୍ରାକୃତିକ ଉପାୟରେ ବର୍ଷକୁ ହାରାହାରି 3-4 କିଲୋଗ୍ରାମ ମହୁ ମିଳୁଥିବା ବେଳେ ଉନ୍ନତ ପ୍ରଣାଳୀରେ ବାକ୍ସପିଛା ହାରାହାରି 40-50 କିଗ୍ରା ମହୁ ମିଳିଥାଏ ।
ମହୁମାଛି ପାଳନର ଉଦ୍ଦେଶ୍ୟ
- ମହୁଚାଷରୁ ଉତ୍ପାଦିତ ମହୁ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ । ଏହାର ଉତ୍ପାଦନ ପ୍ରଣାଳୀ ବିଜ୍ଞାନ ଉପରେ ଆଧାରିତ, ତେଣୁ ଏହି ମହୁ ସମ୍ପୂର୍ଣ୍ଣ ଭାବରେ ବିଶୁଦ୍ଧ।
- ଏହି ମହୁରେ ଔଷଧୀୟ ଗୁଣ ପୁରାମାତ୍ରାରେ ସୁରକ୍ଷିତ ହୋଇ ରହିଥାଏ ।
- ମହୁ ଯେ କେବଳ ଜଣେ ରୋଗୀପାଇଁ ଆବଶ୍ୟକ ଏହା ଠିକ୍ ନୁହଁ । ଗୋଟିଏ ମଣିଷକୁ ସୁସ୍ଥ-ସବଳ ରଖିବା ପାଇଁ, ମଣିଷ ଦେହରେ କ୍ଷୟପୂରଣ ନିମନ୍ତେ ଓ ଅନେକ ଗୁଡ଼ଏ ସଂକ୍ରାମକ ରୋଗବ୍ୟାଧିର ପ୍ରତିଷେଧକ ରୂପେ ମହୁର ଆବଶ୍ୟକତା ଅତୁଳନୀୟ । ସେଥିପାଇଁ ବୈଦିକ ଯୁଗରୁ ମହୁକୁ ଏକ ଅମୃତର ମାନ୍ୟତା ଦିଆଯାଇଅଛି ।
- ଏହା ବ୍ୟତୀତ ମହୁରୁ ମହମ, ପ୍ରପୋଲିସ୍, ରୟାଲଜେଲି, ପରାଗରେଣୁ, ମହୁମାଛି ବିଷ ଉତ୍ପାଦନ ଇତ୍ୟାଦି ମହୁମାଛି ପାଳନର ଅନ୍ୟାନ୍ୟ ଉଦ୍ଦେଶ୍ୟ ।
ମହୁମାଛି ପାଳନର ଉପାୟ
ପ୍ରଶିକ୍ଷଣ ନେବା ଦରକାର
- ବୈଜ୍ଞାନିକ ପ୍ରଣାଳୀରେ ମହୁମାଛି ଚାଷ କରିବାକୁ ହେଲେ ପ୍ରଶିକ୍ଷଣ ବା ତାଲିମ ନେବା ନିହାତି ଦରକାର ।
- ମହୁମାଛିର ଚାଲିଚଳନ ତଥା ତାହାର କାର୍ଯ୍ୟଶୈଳୀ ବିଷୟରେ କେତେକ ମୌଳିକ ଜ୍ଞାନ ଆହରଣ ନକଲେ ସଫଳ ଭାବରେ ମହୁମାଛି ପାଳନ କରିବା କଷ୍ଟକର ।
- ମହୁମାଛି ବିନ୍ଧିବାର ଭୟ ଯୋଗୁଁ ଅନେକ ବ୍ୟକ୍ତି ମହୁମାଛି ପାଳନ ପାଇଁ ମନୋନିବେଶ କରି ନଥାନ୍ତି ମାତ୍ର ଥରେ ତାଲିମ ନେଲାପରେ ସେ ଭୟ ସମ୍ପୂର୍ଣ୍ଣ ଦୂର ହୋଇଯାଇଥାଏ ।
ସ୍ଥାନ ନିରୂପଣ
ମକରନ୍ଦ ଓ ପରାଗରେଣୁ ମହୁମାଛିର ପ୍ରାକୃତିକ ଖାଦ୍ୟ । ଖାଦ୍ୟାଭାବ ସମୟରେ ଚିନି ଶିରା ଦେଇ ମହୁମାଛିକୁ କିଛିଦିନ ବଞ୍ଚାଇ ରଖିବା ସମ୍ଭବ ମାତ୍ର ପରାଗରେଣୁ ବିନା ସେମାନଙ୍କର ବଂଶ ବୃଦ୍ଧି ଅସମ୍ଭବ । ସପ୍ତଫେଣୀ ମହୁମାଛି ଯଦିଓ ଅନେକ ଦୂର ଉଡ଼ିପାରେ, ତଥାପି କେବଳ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବୃକ୍ଷରୁ ସେ ମକରନ୍ଦ ଓ ପରାଗରେଣୁ ସଂଗ୍ରହ କରିଥାଏ ।
- ମହୁମାଛିକୁ ମକରନ୍ଦ, ପରାଗରେଣୁ ବା ଉଭୟ ଯୋଗାଇପାରୁଥିବା ମହୁମାଛି ଚରାବୃକ୍ଷକୁ ଚିହ୍ନନ୍ତୁ ଓ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ପ୍ରଚୁର ଚରାବୃକ୍ଷ ଥିବା ସ୍ଥାନରେ ମହୁମାଛି ଚାଷ କରନ୍ତୁ ।
- ପରିଷ୍କାର ପରିଛନ୍ନ, ବାୟୁ ଚଳାଚଳ ଯୁକ୍ତ, ଯଥେଷ୍ଟ ଛାଇ, ସୂର୍ଯ୍ୟାଲୋକ ଓ ଯଥେଷ୍ଟ ନିର୍ମଳ ଜଳଥିବା ସ୍ଥାନ, ମୁଖ୍ୟ ରାସ୍ତାଠାରୁ ଦୂରରେ ମାତ୍ର ଯାତାୟତ ସୁବିଧା ଥିବା ଶାନ୍ତ, ଶୀତଳ ଏବଂ ପ୍ରାକୃତିକ ପରିବେଶ ଏଥିପାଇଁ ଉପଯୁକ୍ତ ।
- ନିର୍ଦ୍ଧାରିତ ସ୍ଥାନେ 8-10 ଫୁଟ୍ ବ୍ୟବଧାନରେ ନିରାପଦ ଷ୍ଟାଣ୍ଡ ଉପରେ ମହୁମାଛି ବାକ୍ସକୁ ବସାଇବା ଉଚିତ୍ ।
- ମହୁମାଛି ବାକ୍ସ ଧୂଆଁ ବାହାରୁଥିବା, କଳକାରଖାନା, ନାଳ ନର୍ଦ୍ଦମା, ସନ୍ତସନ୍ତିଆ ଓ ପ୍ରଦୂଷିତ ସ୍ଥାନଠାରୁ ଦୂରରେ ରଖିବା ଆବଶ୍ୟକ ।
ଉପକରଣ
ମହୁମାଛି ପାଳନ ପାଇଁ ମୁଖ୍ୟ ଉପକରଣ ଗୁଡ଼ିକ ହେଲା
- ମହୁମାଛି ବାକ୍ସ- ସମତଳ ଅଞ୍ଚଳ ପାଇଁ ISI ‘A’ ଓ ପାହାଡ଼ିଆ ଅଞ୍ଚଳ ପାଇଁ ISI’B’ ଟାଇପ୍ ମହୁମାଛି ବାକ୍ସ ଦରକାର ହୋଇଥାଏ ।
- ଧୂଆଁ ନଳୀ
- ମହୁନିଷ୍କାସନ ଯନ୍ତ୍ର
ଆନୁଷାଙ୍ଗିକ ଉପକରଣ ଗୁଡ଼ିକ ମଧ୍ୟରୁ
- ଷ୍ଟାଣ୍ଡ
- ପିମ୍ପୁଡ଼ି ନିରୋଧକ ଯନ୍ତା
- ଡ଼ମି ପଟା, ଛୁରୀ, ରାଣୀ ଜାଲି, ପୁରୁଷ ମାଛି ଯନ୍ତା, ଦଳ ଧରିବା ବାକ୍ସ, ନ୍ୟୁକ୍ଲିୟସ୍ ବାକ୍ସ, ମୁହଁ ଜାଲି, ହାତ ମୋଜା ଇତ୍ୟାଦି ।
ଏହି ଆବଶ୍ୟକୀୟ ଉପକରଣ ଗୁଡ଼ିକ ଓ ମହୁମାଛି ଦଳ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼, ଭୂବନେଶ୍ୱର ବା ନିକଟସ୍ଥ ଅଗ୍ରଣୀ ମହୁମାଛି ଚାଷୀଙ୍କ ଠାରୁ ସଂଗ୍ରହ ବା କ୍ରୟ କରିବାକୁ ପଡ଼େ ।
ଦଳ ସଂଗ୍ରହ
ମହୁମାଛି ଚାଷ ଆରମ୍ଭ କରିବା ହେଲେ ପ୍ରାକୃତିକ ଦଳ ଓ ସ୍ୱାର୍ମ ଦଳକୁ ଧରି ଅଥବା ସରକାରୀ ସଂସ୍ଥା, ସମବାୟ ସଂସ୍ଥା ବା ମହୁମାଛି ଚାଷୀଙ୍କ ଠାରୁ ବିଭାଜିତ ଦଳ କିଣି କରି ମହୁମାଛି ଚାଷ କରାଯାଇ ପାରେ । ଦଳ କିଣିବା ବେଳ ନିମ୍ନ ଲିଖିତ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର
- ଦଳ କିଣିବା ବେଳ କମ୍ ବୟସର ରାଣୀ କିଣିବା ସହିତ ଦଳ ଚାରିଫେଣାଯୁକ୍ତ କିଣିବା ଉଚିତ୍ ।
- ଫେଣାରେ ସଂଖ୍ୟା ଗରିଷ୍ଠ ମାଛି, ଯଥେଷ୍ଟ ଅଣ୍ଡା, ଶାବକ, ମହୁ ଓ ପରାଗରେଣୁ ଗଚ୍ଛିତ ଥିବା ଓ ପୁରୁଣାମାଛି ବିହିନ ହୋଇଥିବା ଦରକାର ।
- ମହୁମାଛି ପାଳନ ପାଇଁ ପ୍ରାକୃତିକ ଦଳ, ସ୍ୱାର୍ମ ଦଳ ଧରିବା ବା ଦଳ ବିଭାଜନ କରିବା ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷାନର ଆବଶ୍ୟକତା ରହିଛି । ଯାହାକୁ ପାଳନ ନକଲେ ଧରିଥିବା ଦଳ ରହେନାହିଁ ।
- ଦଳ ସଂଗ୍ରହ କରିବା ବା କିଣିବାର ପ୍ରକୃଷ୍ଟ ସମୟ ହେଲା ଡ଼ିସେମ୍ୱର ଠାରୁ ଜାନୁୟାରୀ ମାସ । ମାତ୍ର ଡ଼ିସେମ୍ବର ମାସ ଠାରୁ ଏପ୍ରିଲ ମାସ ମଧ୍ୟରେ ପ୍ରାକୃତି ଦଳକୁ ଧରି ବାକ୍ସରେ ରଖି ମହୁଚାଷ ଆରମ୍ଭ କରାଯାଇ ପାରେ ।
ସେହିପରି ଡ଼ିସେମ୍ବର ମାସରୁ ମେ ମାସ ମଧ୍ୟରେ ସ୍ୱାର୍ମ ଦଳ ଦେଖିଲେ ତାକୁ ଯଥାଶୀଘ୍ର ଧରି ବାକ୍ସରେ ରଖିବା ଆବଶ୍ୟକ । ପ୍ରାକୃତିକ ଦଳ ଓ ସ୍ୱାର୍ମ ଦଳ ଧରିବା ବା ସଂଗ୍ରହ କରିବାର ଉପାୟ ବିଷୟରେ ଜ୍ଞାନକୌଶଳ ପାଇଁ ସ୍ୱତନ୍ତ୍ର ତାଲିମ ନେବା ଆବଶ୍ୟକ । ମେ ମାସ ପରେ ମହୁମାଛି ପାଳନ କରିବା ଅନୁଚିତ ।
ମହୁମାଛି ଦଳ
ଗୋଟିଏ ରାଣୀ ମାଛି, 100 ରୁ 150 ପୁରୁଷ ମାଛି ଓ 20,000 ରୁ 25,000 କର୍ମୀମାଛିକୁ ନେଇ ମହୁମାଛି ଦଳ ଗଠିତ ହୋଇଥାଏ ।
ରାଣୀ ମହୁମାଛି
- ଆକାରରେ ବୃହତ୍ତମ, ତମ୍ବାଳିଆ, ଡ଼େଣା ଦେହତୁଳନାରେ ଛୋଟ ।
- ଏହାର ମୁଖ୍ୟ କାର୍ଯ୍ୟ ଅଣ୍ଡା ଦେବା ଓ ବଂଶ ବିସ୍ତାର କରିବା ।
- ଦିନକୁ 300 ରୁ 800 ଅଣ୍ଡାଦିଏ ।
- ପ୍ରାୟ 2-3 ବର୍ଷ ପର୍ଯ୍ୟନ୍ତ ବଞ୍ଚେ । ଦେଢ଼ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହେ ।
- ଦଳକୁ ଶୃଙ୍ଖଳିତ କରି ରଖେ ।
- ଅଧିକ ଦିନ ରାଣୀ ବିହନ ରହିଲେ ଦଳ ଲୋପ ପାଏ ।
କର୍ମୀମାଛି
- ଏମାନେ ଆକାରରେ ବହୁତ ଛୋଟ, ତମ୍ବାଳି, ଡେଣା ଦେହ ଲମ୍ବା ସଙ୍ଗେ ସମାନ ।
- 6 ସପ୍ତାହ ରୁ 6 ମାସ ପର୍ଯ୍ୟନ୍ତ ବଞ୍ଚେ ।
- ଏମାନେ ରାଣୀର ନିର୍ଦ୍ଦେଶ ଅନୁସାରେ ଖୋପ ଓ ବସା ସଫା କରିବା, ଫେଣା ଗଢିବା ଓ ଘର ଜଗିବା, ମହୁକୁ ଶାଇତି ରଖିବା ଇତ୍ୟାଦି ସବୁ କାମ କରିଥାନ୍ତି ।
- ବସାରେ ତିନି ସପ୍ତାହ କାମ କଲାପରେ ଅବଶିଷ୍ଟ କାର୍ଯ୍ୟକାଳ ମଧ୍ୟରେ ପରାଗରେଣୁ, ମକରନ୍ଦ ଓ ପାଣି ସଂଗ୍ରହ କରନ୍ତି ।
- ଦଳର ସୁରକ୍ଷା ପାଇଁ ଶତୃକୁ ବିନ୍ଧନ୍ତି ।
ପୁରୁଷ ମାଛି
- କେବଳ ସଙ୍ଗମ ଋତୁରେ ଦେଖାଯାନ୍ତି । ରାଣୀଠାରୁ ଆକାରରେ ଛୋଟ ଓ କର୍ମୀଠାରୁ ବଡ଼ , ଦେଖିବାକୁ କଳା ଓ ମୋଟା । ଦେହ ଠାରୁ ଡ଼େଣା ବଡ଼, ଲାହୁଡା ବିହୀନ ।
- ଏମାନେ କର୍ମୀମାଛି ଠାରୁ ବହୁତ ଅଧିକ ଖାଦ୍ୟ ଖାଆନ୍ତି । ଏମାନଙ୍କର ମୁଖ୍ୟ କାମ ହେଲା ରାଣୀଙ୍କ ସହିତ ସଙ୍ଗମ କରିବା ।
- ନୂଆ ରଣୀ ସଙ୍ଗମ ସାରି ଅଣ୍ଡା ଦେବାକୁ ଆରମ୍ଭ କଲେ ପୁରୁଷ ମାଛିମାନଙ୍କୁ ଯନ୍ତା ସାହାଯ୍ୟରେ ଧରି ମାରିଦେବା ଉଚିତ୍ ।
ଋତୁ ଅନୁଯାୟୀ ଦଳ ପରିଚାଳନା
ବର୍ଷସାରା ପ୍ରତି 7ରୁ 10 ଦିନ ବ୍ୟବଧାନରେ ନିୟମିତ ବାକ୍ସ ପରୀକ୍ଷା କରିବା, ଖତ ଓ ଶୀତଦିନେ ଉତ୍ତାପ ନିୟନ୍ତ୍ରଣ, ବର୍ଷାଦିନେ ବର୍ଷାରୁ ସୁରକ୍ଷା ଓ ବସନ୍ତ ଋତୁରେ ସ୍ୱାର୍ମ ନିୟନ୍ତ୍ରଣ ନିହାତି ଆବଶ୍ୟକ । ଋତୁ ଅନୁସାରେ ପରିଚାଳନା ଦ୍ୱାରା ମହୁମାଛି ପାଳନ ଲାଭଜଦାୟକ ହୋଇଥାଏ ।
ଜାନୁଆରୀ ରୁ ମାର୍ଚ୍ଚ
- ଏହା ମାଛି ସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ସମୟ । ବାକ୍ସର ଛାତ ପଟାର ଭିତର ପଖରେ ଅନେକ ସଂଖ୍ୟାରେ ମାଛି ଥିଲେ ଉକ୍ତ ଦଳ ବିଭାଜନ ଯୋଗ୍ୟ । ତେଣୁ ଦଳ ବିଭାଜନ କରନ୍ତୁ ।
- ଦଳରେ ସ୍ଥାନଭାବର ନିରାକରଣ ପାଇଁ ଶାବକ କକ୍ଷ ଉପରେ ମଧୁ କକ୍ଷ ସ୍ଥାପନ କରନ୍ତୁ ।
- ଆବଶ୍ୟକ ହେଲେ 8 ଟି ଫେଣା ଯାଗାରେ 5 ରୁ 6 ଟି ଫେଣା ରଖନ୍ତୁ । ଶାବକ କକ୍ଷର ଦୁଇଟି ମାଛି ଥିବା ଫେଣା ମଧ୍ୟରେ ଖାଲି ଫ୍ରେମ ରଖି ନୂଆ ଫ୍ରେମ୍ ଗଢିବାକୁ ସୁଯୋଗ ଦିଅନ୍ତୁ ।
- ସ୍ୱାର୍ମିଙ୍ଗ୍ ବା ପ୍ରାକୃତିକ ବିଭାଜନ ଏଡ଼ାଇବା ପାଇଁ ଅନୁପଯୁକ୍ତ ରାଣୀକୁ ଦଳରୁ ବାହାର କରି ଦିଅନ୍ତୁ ।
ଏପ୍ରିଲ ରୁ ମେ
ଅତ୍ୟଧିକ ଉତ୍ତାପର ପ୍ରଭାରୁ ଦଳର ସୁରକ୍ଷା ବ୍ୟବସ୍ଥା କରନ୍ତୁ । ବାୟୁ ଚଳାଚଳ ପାଇଁ ସୁବିଧା ସୃଷ୍ଟି କରାନ୍ତୁ । ଦଳ ନିକଟରେ ନିର୍ମଳ ଜଳ ମିଳିବାର ବ୍ୟବସ୍ଥା କରନ୍ତୁ ।
ଜୁନ-ସେପ୍ଟେମ୍ବର
ମହୁମାଛିଙ୍କ ପାଇଁ ଏହା ସବୁଠାରୁ ସଙ୍କଟ ସମୟ । ତେଣୁ କୃତ୍ରିମ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରନ୍ତୁ । ବାକ୍ସର ଚତୁଃପାର୍ଶ୍ୱ ଓ ତଳପଟା ପରିସ୍କାର ରଖନ୍ତୁ । ଦଳକୁ ସବଳ ରଖିବାକୁ ଚେଷ୍ଟା କରନ୍ତୁ । ଖାଦ୍ୟ ଲୁଟି, ମହମ + ଶଲଭ ଓ ଅନ୍ୟାନ୍ୟ ଶତୃ ଆକ୍ରମଣ, ରାଣୀ ବିହୀନ ଦଳ ଇତ୍ୟାଦି ସମସ୍ୟାରୁ ଦଳକୁ ରକ୍ଷା କରନ୍ତୁ ।
ଅକ୍ଚୋବର-ଡ଼ିସେମ୍ବର
ଖରା ପାଗରେ ବାକ୍ସ ନିରୀକ୍ଷଣ କରନ୍ତୁ ଓ ବାକ୍ସ ମଧ୍ୟରେ ଉତ୍ତାପ ନିୟନ୍ତ୍ରଣ ସୁବିଧା ପାଇଁ ଡମି ପଟା ବ୍ୟବହାର କରନ୍ତୁ । ପୁରୁଣା ଫେଣା ଗୁଡ଼ିକୁ ନଷ୍ଟ କରି ଦିଅନ୍ତୁ । ଦୁର୍ବଳ ଦଳକୁ ସବଳ ଦଳ ସହିତ ମିଶାଇ ଦିଅନ୍ତୁ । ପୁରୁଷ ମାଛି ସୃଷ୍ଟିର ନିୟନ୍ତ୍ରଣ କରନ୍ତୁ ।
ମହୁ ନିଷ୍କାସନ, ଶୋଧନ ଏବଂ ସଂରକ୍ଷଣ
ମହୁ ନିର୍ଗମନ ଋତୁରେ ଫେଣାରେ ମହୁ ସଞ୍ଚିତ ହୋଇ 70 ରୁ 80 ମୁଦ ହୋଇଗଲେ ମହୁ ନିଷ୍କାସନ ଯନ୍ତ୍ର ସାହାଯ୍ୟରେ ମହୁ ନିଷ୍କାସନ କରନ୍ତୁ ୟୋ ମହୁକୁ 50-60 ଡିଗ୍ରୀ ସେଣ୍ଟିଗ୍ରେଡ଼୍ ଉତ୍ତାପରେ 15-20 ମିନି ପରୋକ୍ଷରେ ଗରମ କରି ଛାଣି କାଚ ବୋତଲରେ ରଖନ୍ତୁ । ମହୁ ନିଷ୍କାସନ ସମୟରେ ଯେପରି ମହୁ ବେଶୀ ସମୟ ଖୋଲା ନରହେ ସେଥି ପ୍ରତି ଦୃଷ୍ଟି ଦେବା ଦରକାର ।
ଉପରୋକ୍ତ ପଦ୍ଧତି ଅବଲମ୍ବନ କରିବା ସହିତ ଜଣେ ଚାଷୀ ଅତି କମରେ 4-5 ଟି ମହୁମାଛି ଦଳ ରଖି ମହୁମାଛି ଚାଷ କରିବା ଆବଶ୍ୟକ । ମହୁମାଛି ଚାଷରୁ ଅମଳ ପ୍ରାକୃତିକ ପରିବେଶ ଓ ପରିଚାଳନା ଉପରେ ନିର୍ଭର କରେ ।
ଆଜିକାଲି ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ କୀଟନାଶକ ବିଷ ପ୍ରୟୋଗ ବହୁଳ ବ୍ୟବହାର ମହୁମାଛି ଓ ଅନ୍ୟାନ୍ୟ ପରାଗ ସଙ୍ଗମକାରୀ କୀଟ ବିଲପ ହେବାର ମୂଳ କାରଣ । ଏହାଦ୍ୱାରା ଆମର ଫସଲ ଅମଳରେ ମଧ୍ୟ ହ୍ରାସ ଦେଖାଯାଉଛି । ଦୃତ ଜଙ୍ଗଲ ନଷ୍ଟକୁ ରୋକିବା ନିମନ୍ତେ ରାସ୍ତାର ପାର୍ଶ୍ୱରେ ଯଥେଷ୍ଟ ମହୁମାଛି ଚରାବୃକ୍ଷ ଯଥା-ବରକୋଳି, ନିମ୍ବ, କରଞ୍ଜ, ଇଉକାଲିପଟାସ୍, ଜାମୁକୋଳି ଇତ୍ୟାଦିର ବହୁଳ ରୋପଣ ନିହାତି ଦରକାର । ଫସଲ ଅମଳ ବୃଦ୍ଧି ଓ ଜୈବ ବିବିଧତା ପାଇଂ ପର୍ଯ୍ୟାପ୍ତ ପରିମାଣରେ ମହୁମାଛି ଚାଷ କରିବା ବିଧେୟ ।
ମହୁ ଚାଷ ପ୍ରଣାଳୀ (ଭିଡ଼ିଓ)-1
ମହୁ ଚାଷ ପ୍ରଣାଳୀ (ଭିଡ଼ିଓ)-2
ଓୟୁଏଟିରୁ ପ୍ରକାଶିତ ତାଲିମ ପୁସ୍ତିକାରୁ ସଂଗୃହୀତ