ଫସଲରେ ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ବିଭିନ୍ନ ଅଭିବୃଦ୍ଧି ସମସ୍ୟା ଦେଖାଦେଇପାରେ । ନାଇଟ୍ରୋଜେନର ଅଭାବ ଯୋଗୁଁ ପୁରୁଣା ପତ୍ର ହଳଦିଆ ହୋଇଯାଏ ଏବଂ ବୃଦ୍ଧି ବାଧାପ୍ରାପ୍ତ ହୁଏ । ଫସଫରସ୍ ର ଅଭାବ ଯୋଗୁଁ ଗାଢ଼ ସବୁଜ କିମ୍ବା ଶୁଦ୍ଧ ପତ୍ର ଓ ମୂଳର ବିକାଶ ଖରାପ ହୋଇଥାଏ। ପୋଟାସିୟମ ଅଭାବରୁ ପତ୍ରର ଡାଳ ବାଦାମୀ ହେବା ସହ ଡାଳ ଦୁର୍ବଳ ହୋଇଯାଏ । କ୍ୟାଲସିୟମ ର ଅଭାବ ଯୋଗୁଁ ପତ୍ର ବିକୃତ ହୋଇଯାଏ ଏବଂ ଫଳଗୁଡିକରେ ଫୁଲ ପଚିଯାଏ । ତେବେ ନିୟମିତ ମାଟି ପରୀକ୍ଷା ଏବଂ ଉପଯୁକ୍ତ ଫର୍ଟିଲାଇଜେସନ୍ ଏହି ଅଭାବକୁ ଦୂର କରିବାରେ ସାହାଯ୍ୟ କରିପାରେ । ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ସମସ୍ୟା ଦେଖାଯାଏ ଏବଂ ତାର ଲକ୍ଷଣ ।
ବୋରନ
କାର୍ଯ୍ୟକାରିତା
- ପରାଗ ରେଣୁ ସକ୍ରିୟ ଓ କାର୍ଯ୍ୟକ୍ଷମ କରାଏ ଏବଂ କୋଷ ବିଭାଜନରେ ସହାୟକ ହୁଏ ।
- ଗଛର ଚୂନ ଗ୍ରହଣରେ ସହାୟକ ହୁଏ ଏବଂ ଗଛରେ ପଟାସ୍ ଓ ଚୂନର ଅନୁପାତକୁ ସନ୍ତୁଳିତ କରେ ।
ଆଭାବ ଜନିତ ଲକ୍ଷଣ
- ବୋରନ ଅଭାବରେ ଗଛର ଅଗ୍ରଭାଗ ବୃଦ୍ଧି ହୁଏ ନାହିଁ ଏବଂ କଢ ଶୁଖିଯାଏ ।
- ଫଲରେ ପରାଗ ସଂଗମ ହୁଏ ନାହିଁ, ଫଳରେ କମ୍ ଫଳ ଧରେ ଓ ଫଳ ମଧ୍ୟ ଛୋଟ ଅବସ୍ଥାରେ ଖସିପଡ଼େ ।
- ଗଛର ପତ୍ର ମୋଟା ହୁଏ ଏବଂ ଫଳ ଫାଟି ଯାଏ ।
ବୋରନ ସାର କେଉଁଠାରୁ ମିଳେ ?
- ବୋରନ ସାର ମୁଖ୍ୟତଃ ବୋରାକ୍ସ, ଗ୍ରାନ୍ୟୁବୋର, ସଲ୍ୟୁବୋର ଏବଂ ବୋରିକ ଏସିଡ୍ ରୁ ମିଳିଥାଏ ।
————————————————————————————————————————————————-
ତମ୍ବା
କାର୍ଯ୍ୟକାରିତା
- ଗଛରେ ଅନେକ ଗୁଡ଼ିଏ ଏନଜାଇମ୍ ସୃଷ୍ଟି କରେ ।
- ଗଛରେ ଭିଟାମିନ୍ ତିଆରି କରେ ।
- ଏହାର ଉପସ୍ଥିତି ଉଦ୍ଭିଦର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
ଆଭାବ ଜନିତ ଲକ୍ଷଣ
- ଗଛ ଅଗ ପତ୍ର ହଳଦିଆ ହୋଇ ଶୁଖିଯାଏ ଏବଂ ଗଣ୍ଠି ଛୋଟ ହୁଏ ।
- ଗଛର ବକଳ ତଳେ ଅଠା ଜମିଯାଏ ।
- ଫଳର ରଙ୍ଗ ଧୂସର ଦେଖାଯାଏ ।
ତମ୍ବା ସାର କେଉଁଠାରୁ ମିଳେ ?
- ତମ୍ବା ମୁଖ୍ୟତଃ କପର ସଲଫେଟ୍ ଏବଂ ଚିଲେଟେଡ଼୍ କପରରୁ ମିଳିଥାଏ ।
————————————————————————————————————————————————-
ମାଙ୍ଗାନିଜ
କାର୍ଯ୍ୟକାରିତା
- ଗଛ ଦେହରେ ଯେତେ ପ୍ରକାର ପ୍ରତିକ୍ରିୟା ସଂଗଠିତ ହୁଏ ସେଗୁଡ଼ିକୁ ବଢାଇବା ବା କମାଇବା ମାଙ୍ଗାନିଜ୍ ଦ୍ୱାରା ପରିଚାଳିତ ହୁଏ ।
- ଗଛର ଶ୍ୱାସକ୍ରିୟା ନିୟନ୍ତ୍ରଣ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ପତ୍ରର ଶିରାର ମଧ୍ୟଭାଗ ଅଂଶ ହଳଦିଆ ହୁଏ ।
- ଅଗପତ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହୁଏ ।
ମାଙ୍ଗାନିଜ ସାର କେଉଁଠାରୁ ମିଳେ ?
- ଏହା ମାଙ୍ଗାନିଜ୍ ସଲଫେଟରୁ ମିଳିଥାଏ ।
————————————————————————————————————————————————-
କ୍ଲୋରିନ୍
କାର୍ଯ୍ୟକାରିତା
- ଏହା ଗଛରେ ଆଲୋକ ସଂଶ୍ଳଷଣ ପ୍ରକ୍ରିୟାରେ ସାହାଯ୍ୟ କରେ ।
- ଗଛର ପଟାସିୟମ୍, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଉପାଦନରେ ନେବା ଆଣିବା ସାହାଯ୍ୟ କରେ ।
- ଶସ୍ୟ ଜାତୀୟ ଫସଲର ଉତ୍ପାଦନ କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ଗଛକୁ ରୋଗ ଦାଉରୁ ରକ୍ଷା କରେ ଓ କାଣ୍ଡକୁ ମଜବୁତ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଏହାର ଅଭାବରେ ପତ୍ରଧାର ପୋଡ଼ିଯାଏ ଏବଂ ପତ୍ର ହଳଦିଆ ପଡ଼ିଯାଏ ।
- ଏହାର ଅଭାବରେ ପତ୍ରର ଅଗ ଝାଉଁଳିଯାଏ ଓ ପତ୍ରରେ ଛିଟା ଦାଗ ଯାଏ ଯାହା ପରବର୍ତ୍ତୀ ସମୟରେ ତମ୍ବାଳିଆ ରଙ୍ଗ ଧାରଣ କରି ମରିଯାଏ ।
କ୍ଲୋରିନ୍ ସାର କେଉଁଠାରୁ ମିଳେ ?
- କ୍ଲୋରିନ୍ ସାର ମୁଖ୍ୟତଃ ପୋଟାସିୟମ କ୍ଲୋରାଇଡରୁ ମିଳିଥାଏ ।
————————————————————————————
ମ୍ୟାଗ୍ନେସିୟମ
କାର୍ଯ୍ୟକାରିତା
- ପତ୍ରହରିତ ତିଆରିରେ ସାହାଯ୍ୟ କରେ ଏବଂ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ସାହାଯ୍ୟ କରେ ।
- ତୈଳବୀଜ ଫସଲରେ ତୈଳ ଅଂଶ ତିଆରିରେ ସାହାଯ୍ୟ କରିଥାଏ ।
- ଶ୍ୱେତସାର ଖାଦ୍ୟ ତିଆରି ଓ ନ୍ୟୁକ୍ଲକ୍ ଏସିଡ୍ ତିଆରି ପାଇଁ ଆବଶ୍ୟକ ପଡୁଥିବା ଏନଜାଇମ୍ ତିଆରି କରିବକୁ ସକ୍ରିୟ କରାଏ ।
ଆଭାବ ଜନିତ ଲକ୍ଷଣ
- ଫସଲର ପୁରୁଣା ପତ୍ର ଧାର ଓ ଶିରା ମଧ୍ୟବର୍ତ୍ତୀ ଅଂଶରେ ସବୁଜ ରଙ୍ଗ ହରାଇବାର ଲକ୍ଷଣ ଦେଖାଯାଏ, ଅତ୍ୟଧିକ ଅଭାବରେ ପତ୍ର ଶୁଖି ମରିଯାଏ ।
- ପନିପରିବା ଫସଲରେ ଧଳା ବା ହଳଦିଆ ଶିରାର ମଧ୍ୟବର୍ତ୍ତୀ ଅଂଶରେ ସୃଷ୍ଟି ହୁଏ । କଢରୁ ପାଖୁଡ଼ା ଝଡ଼ିପଡ଼େ ।
ମ୍ୟାଗ୍ନେସିୟମ ସାର କେଉଁଠାରୁ ମିଳେ ?
- ମ୍ୟାଗ୍ନେସିୟମ ସଲଫେଟ୍, ମ୍ୟାଗ୍ନେସାଇଟ୍, ଡୋଲାମାଇଟ୍ ଆଦିରୁ ଏହି ସାର ମିଳିଥାଏ ।
————————————————————————————-
ଲୌହ
କାର୍ଯ୍ୟକାରିତା
- କୋଷ ଭିତରେ ଥିବା ବିଭିନ୍ନ ଅଂଶ ତିଆରି ପାଇଁ ଏହା ଆବଶ୍ୟକ ।
- ପତ୍ର ହରିତ୍ ତିଆରି ଓ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକ ।
- ଗଛରେ ବିଭିନ୍ନ ଏନଜାଇମ ପ୍ରକ୍ରିୟାକୁ ଏହା ତ୍ୱାରାନ୍ୱିତ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଲୌହ ସାରର ଅଭାବ ହେଲେ ଗଛର ନୂଆପତ୍ରର ଶିରା ଅନ୍ତର୍ଗତ ଅଂଶ ଧଳା ଦେଖାଯାଏ, କିନ୍ତୁ ପତ୍ରର ଧାର ଓ ଶିରା ସବୁଜ ଥାଏ ।
- ଅତ୍ୟଧିକ ଅଭାବରେ ସଂମ୍ପୂର୍ଣ୍ଣ ପତ୍ର ହଳଦିଆ ହୁଏ ।
ଲୌହ ସାର କେଉଁଠାରୁ ମିଳେ ?
- ଆଇରନ୍ ସଲଫେଟ୍, ଚିଲେଟେଡ୍ ଆଇରନ୍ ରୁ ମିଳିଥାଏ ।
————————————————————————-
ଗନ୍ଧକ
କାର୍ଯ୍ୟକାରିତା
- ଫସଲ ପାଇଁ ଆବଶ୍ୟକ ହେଉଥିବା ଜୀବସାର (ଭିଟାମିନ୍) ର ଗଠନ ପାଇଁ ଦରକାର ହୋଇଥାଏ । ଏହା ପୁଷ୍ଟିସାର
ଆକାରକୁ ସଂଗଠିତ କରି ରଖିବାରେ ସହାୟକ ହୁଏ ।
- ଡ଼ାଲିଜାତୀୟ ଫସଲର ଚେରରେ ଗଣ୍ଠି ବୃଦ୍ଧିରେ ସାହାଯ୍ୟ କରିଥାଏ ।
- ତୈଳବୀଜ ଫସଲରେ ତୈଳ ଅଂଶ ବୃଦ୍ଧିରେ ସାହାଯ୍ୟ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଗନ୍ଧକ ଅଭାବ ହେଲେ ଫସଲର ଅଗ ପତ୍ର କ୍ରମଶଃ ହଳଦିଆ ହୁଏ ।
- ଫସଲ ଅମଳ, ପୁଷ୍ଟିସାର ଓ ତେଲ ଅଂଶ କମିଯାଏ ।
ଗନ୍ଧକ ସାର କେଉଁଠାରୁ ମିଳେ ?
- ଗନ୍ଧକ ସାର ଗୋବର ଖତ, କମ୍ପୋଷ୍ଟ ଖତ, ତୈଳ ଜାତୀୟ ପିଡ଼ିଆ, ଜିପସମ୍, ସିଙ୍ଗିଲ ସୁପର ଫସଫେଟ୍, ବେଣ୍ଟୋନାଇଟ୍ ସଲଫର ଆଦି ରୁ ମିଳିଥାଏ ।
—————————————————————————-
କ୍ୟାଲସିୟମ୍ (ଚୂନ)
କାର୍ଯ୍ୟକାରିତା
- ଡ଼ାଳ, ଅଗ ଓ ଚେର ବୃଦ୍ଧିରେ ସାହାଯ୍ୟ କରେ ।
- କୋଷ ବିଭାଜନ ପାଇଁ ଏହା ଆବଶ୍ୟକ ହୋଇଥାଏ । ଏହା ସହିତ ଉଦ୍ଭିଦ ଭିତରେ ଶ୍ୱେତସାରର ପରିବହନ କରେ ।
- ଏହା ମାଟିରେ ଅମ୍ଳତାକୁ ଠିକ୍ ରଖିଥାଏ ଏବଂ ଅନ୍ୟ ଉପାଦା ଗ୍ରହଣରେ ଗଛକୁ ସାହାଯ୍ୟ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଫଳର ଅଗ୍ରଭାଗ ପଚିଯାଏ ।
- ଅସମୟରେ ଫୁଲ ଓ କଢ ଝଡ଼ିବା ସହିତ କାଣ୍ଡ ଦୁର୍ବଳ ହୋଇଯାଏ ।
- ଗଛର ମୁକୁଳ ଏବଂ ଚେରର ଅଗ୍ରଭାଗ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।
- ନୂଆ ଫସଲର ଉପର କଅଁଳିଆ ପତ୍ର ଅଧିକ ପ୍ରଭାବିତ ହୁଏ ।
କ୍ୟାଲସିୟମ୍ (ଚୂନ)କେଉଁଠାରୁ ମିଳିଥାଏ ?
- ଚିନିକଳ ମଇଳା, କାଗଜକଳ ମଇଳା, ଜିପସମ୍, ରକ ଫସଫେଟ୍, ସିଙ୍ଗିଲ୍ ସୁପର ଫସଫେଟ୍ ଆଦିରୁ ମିଳିଥାଏ ।
- ମାଟିର ଅମ୍ଳତ୍ୱ ଦୂର କରିବା ନିମନ୍ତେ ଏକର ପିଛା 2 କ୍ୱିଣ୍ଟାଲ ଚୂନ ଜାତୀୟ ପଦାର୍ଥ ପ୍ରୟୋଗ କଲେ ମାଟିର ଅମ୍ଳତ୍ୱ ହ୍ରାସ ପାଇଥାଏ ।
————————————————————————————-
ଦସ୍ତା
କାର୍ଯ୍ୟକାରିତା
- ଗଛର ହରମୋନ୍ ତିଆରି କରେ ।
- ଫସଲ ଦ୍ୱାରା ଯବକ୍ଷାରଜାନ ଏବଂ ଫସଫରସ୍ ବ୍ୟବହାରରେ ସାହାଯ୍ୟ କରେ ।
- ଗଛରେ ଏନଜାଇମ୍ ତିଆରି କରେ ଓ ଜୀବସାର ସୃଷ୍ଟି କରେ ।
ଆଭାବ ଜନିତ ଲକ୍ଷଣ
- ଫସଲ ଉପରୁ 2ୟ 3ୟ ପତ୍ରରେ ଅଭାବ ଜନିତ ଲକ୍ଷଣ ଦେଖାଯାଏ ।
- ପତ୍ରର ଆକାର ଛୋଟ ହୁଏ ଓ ଏହା ଉପରେ ଅନେକ ଲାଲ ଦାଗ ଦେଖାଯାଏ ।
- ଗଣ୍ଠି ମଧ୍ୟରେ ଥିବା ପବ ଛୋଟ ହୁଏ ।
- ଧାନରେ ଖଇରା ରୋଗ ଦେଖାଯାଏ ।
- ମକା ଗଛର ପତ୍ରରେ ଧଳା ଦାଗ ଦେଖାଯାଏ ।
ଦସ୍ତାସାରକେଉଁଠାରୁ ମିଳିଥାଏ ?
- ଦସ୍ତା ମୁଖ୍ୟତଃ ଜିଙ୍କ୍ ସଲଫେଟ୍, ଚିଲେଟେଡ୍ ଜିଙ୍କ୍ ଏବଂ ଜିଙ୍କ ସଲଫେଟ୍ ମନୋହାଇଡ୍ରେଟ୍ ରୁ ମିଳିଥାଏ ।
————————————————————————————-
ପୋଟାସିୟମ
କାର୍ଯ୍ୟକାରିତା
- ପୋଟାସିୟମ ସାର ଗଛରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ଏବଂ ଏହା ଗଛର କାଣ୍ଡକୁ ଶକ୍ତ ଏବଂ ଟାଣୁଆ କରିଥାଏ ।
- ପତ୍ରହରିତ୍ ତିଆରିରେ ମୁଖ୍ୟ ଭୂମିକା ଗ୍ରହଣ କରେ ଏବଂ ଆଲୋକ ସଂଶ୍ଳଷଣ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ବିଭିନ୍ନ ଏନଜାଇମ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ ।
ଆଭାବ ଜନିତ ଲକ୍ଷଣ
- ଏହାର ଅଭାବର ସୂଚନା ପ୍ରଥମେ ତଳ ପତ୍ରର ଧାରରେ ଦେଖାଯାଏ । ପତ୍ର ଧାର ହଳଦିଆ ପଡ଼ିଯାଏ ଏବଂ ପୋଡ଼ିଗଲା ପରି ଦିଶେ, ପତ୍ର ଭିତରକୁ ମୋଡ଼ି ହୋଇଯାଏ ।
- ପ୍ରଥମେ ଲକ୍ଷଣ ସବୁ ବୁଢା ପତ୍ରରେ ଦେଖାଯାଏ, ଏହାର ଅଭାବ ଜନିତ ଲକ୍ଷଣ ଆମ୍ବ, ନଡ଼ିଆ, କଦଳୀ ଏବଂ କମଳା ଜାତୀୟ ଗଛରେ ଭଲ ଭାବରେ ଦେଖାଯାଏ ।
ପୋଟାସିୟମ ସାର କେଉଁଠାରୁ ମିଳିଥାଏ ?
- ଗୋବରଖତ, କମ୍ପୋଷ୍ଟ, ସବୁଜସାର, ଫସଲର ଅବଶେଷ, ବିଭିନ୍ନ ପ୍ରକାର ପିଡ଼ିଆ ଏବଂ ରାସାୟନିକ ସାର ଯଥା ଏମ.ଓ.ପି. ଓ ବିଭିନ୍ନ ଯୌଗିକ ସାର ଆଦିରୁ ମିଳିଥାଏ ।
————————————————————————————-
ଫସଫରସ୍
କାର୍ଯ୍ୟକାରିତା
- ଫସଫରସ ସାର ଗଛରେ ନୂଆ ଚେରର ବୃଦ୍ଧିରେ ସାହାଯ୍ୟ କରେ ଏବଂ ଗଛକୁ ପ୍ରଥମରୁ ବଳୁଆ କରିଥାଏ ।
- ଏହା ଫଲ, ଫଳ ଧରିବାରେ ଏବଂ ଗଛକୁ ଫଳନ ଶକ୍ତି ଆଣିବାରେ ସାହାଯ୍ୟ କରିଥାଏ । ଚେର ଗଣ୍ଠିରେ ଥିବା ଜୀବାଣୁ, ଯେଉଁମାନେ କି ମାଟି ଓ ପବନରୁ ଯବକ୍ଷାରଜାନ ସଂଗ୍ରହ କରନ୍ତି ସେମାନଙ୍କୁ ଉତ୍ସାହିତ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଏହାର ଅଭାବରେ ଗଛର ଚେର ଏବଂ କାଣ୍ଡର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ ଏବଂ ଗଛ ପତଳା ହୋଇ ମୋଡ଼ି ହୋଇଥାଏ ।
- ପ୍ରଥମେ ତଳ ପତ୍ର ଧୂଷର ଓ ବାଇଗଣୀ ରଙ୍ଗ ହୋଇ କ୍ରମଶଃ ଉପର ଭାଗକୁ ଆସିଥାଏ ।
ଫସଫରସ୍ ସାର କେଉଁଠାରୁ ମିଳିଥାଏ ?
- ଗୋବରଖତ, କମ୍ପୋଷ୍ଟ, ସବୁଜସାର, ଫସଲର ଅବଶେଷ, ବିଭିନ୍ନ ପ୍ରକାର ପିଡ଼ିଆ, ହାଡ଼ାଗୁଣ୍ଡ ଏବଂ ରାସାୟନିକ ସାର ଯଥା ଡ଼ି.ଏ.ପି., ଗ୍ରୋମର ସାର ଆଦିରୁ ମିଳିଥାଏ ।
- ଅମ୍ଳ ଓ କ୍ଷାରୀୟ ମାଟି ସହିତ ବାନ୍ଧି ହୋଇ ରହିଥାଏ ଓ ଗଛକୁ ବହୁତ କମ୍ ପରିମାଣରେ ମିଳିଥାଏ ।
————————————————————————————-
ଯବକ୍ଷାରଜାନ
କାର୍ଯ୍ୟକାରିତା
- ଯବକ୍ଷାରଜାନ ସାର ମୁଖ୍ୟତଃ ଗଛର ବୃଦ୍ଧିରେ ସାହାଯ୍ୟ କରେ ଏବଂ ଗଛକୁ ଗାଢ ସବୁଜ ରଙ୍ଗ ପ୍ରଦାନ କରିଥାଏ ।
- ଅନ୍ୟାନ୍ୟ ଖାଦ୍ୟସାର ଉପଯୋଗକୁ ଏହା ଅନେକ ମାତ୍ରାରେ ନିୟନ୍ତ୍ରିତ କରିଥାଏ ।
- ଏହା ଯୋଗୁଁ ଗଛରେ ଅଧିକ ଡ଼ାଳ, ପତ୍ର ଏବଂ ପିଲ ହୋଇଥାଏ ।
- ଏହା ଖାଦ୍ୟରେ ପ୍ରୋଟିନର ମାତ୍ରାକୁ ବୃଦ୍ଧିକ କରିଥାଏ ।
ଆଭାବ ଜନିତ ଲକ୍ଷଣ
- ଏହାର ଅଭାବରେ ଗଛ ରୁଗୁଡିଆ ଏବଂ ନିସ୍ତେଜ ଦେଖାଯାଏ, ପତ୍ର ଛୋଟ ହୋଇଯାଏ ଏବଂ ହଳଦିଆ ପଡ଼ିଯାଏ ।
- ଗଛର ପତ୍ର ଏବଂ ଫଳ ପାକଳ ଅବସ୍ଥାକୁ ଆସିବା ପୂର୍ବରୁ ଝଡ଼ିଯାଏ ଏବଂ ଅମଳ ହ୍ରାସ ପାଏ ।
- ହଳଦିଆ ପଡ଼ିବା ତଳ ପତ୍ରରୁ ଆରମ୍ଭ ହୋଇ କ୍ରମଶଃ ଉପରଭାଗକୁ ଆସିଥାଏ ।
ଯବକ୍ଷାରଜାନ ସାର କେଉଁଠାରୁ ମିଳିଥାଏ ?
- ଗୋବରଖତ, କମ୍ପୋଷ୍ଟ, ସବୁଜସାର, ବିଭିନ୍ନ ପ୍ରକାର ପିଡ଼ିଆ, ଏବଂ ରାସାୟନିକ ସାର ମଧ୍ୟରେ ୟୁରିଆ ସାର ଏବଂ ଡ଼ି.ଏ.ପି. ସାର ଆଦିରୁ ମିଳିଥାଏ ।