ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ ବା ଏସବୁର ସାମୂହିକ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ରୋଗ
ଅଣୁଜୀବ ବ୍ୟତୀତ, ପୋଖରୀ ଜଳର ଭୌତିକ, ରାସାୟନିକ, ଜୈବିକ ଗୁଣରେ ଏକକ ପରିବର୍ତ୍ତନ ବା ଏସବୁର ସାମୂହିକ ପରିବର୍ତ୍ତନ ଯୋଗୁଁ ସୃଷ୍ଟ ପ୍ରତିକୂଳ ପ୍ରଭାବ ମାଛମାନଙ୍କ ଉପରେ ପଡ଼ିଥାଏ । ଫଳରେ ମାଛମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏହି ପ୍ରତିକୂଳ ପରିସ୍ଥିତି ମାନଙ୍କ ମଧ୍ୟରୁ ଦ୍ରବୀଭୂତ ଅମ୍ଳଜାନର ପ୍ରଭାବ ପ୍ରଧାନ ଅଟେ ।
ଲକ୍ଷଣ
ମାଛ ଦଳ ଦଳ ହୋଇ ପାଟି ପାକୁ ପାକୁ କରି ପୋଖରୀ ଉପର ସ୍ତରରେ ପହଁରିଥାନ୍ତି ଓ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକଲେ କିଛି ଘଣ୍ଟା ମଧ୍ୟରେ ମରିବା ଆରମ୍ଭ କରନ୍ତି । ସାଧାରଣତଃ ଏହା ପାହାନ୍ତିଆ ପହରରେ ବା ଭୋର ସକାଳ ସମୟରେ ବେଶୀ ଦେଖାଯାଏ । 3-4 ଦିନ ଲଗାତାର ମଘୁଆ ପାଗ ଲାଗି ରହିଲେ ଏହି ପରିସ୍ଥିତି ସୃଷ୍ଟି ହୋଇଥାଏ କିମ୍ବା ଅଳ୍ପ ସ୍ଥାନରେ ବେଶୀ ମାଛ ଛାଡ଼ିଲେ ମଧ୍ୟ ଏପରି ହୋଇଥାଏ ।
ପ୍ରତିକାର
ପୋଖରୀ ମଧ୍ୟକୁ କିଛି ନୂଆ ପାଣି ପୁରାଇବାର ସୁବିଧା ଥିଲେ ଛାଡ଼ନ୍ତୁ କିମ୍ବା ଯଦି ପାଣି ପମ୍ପ ଥାଏ, ତେବେ ସେହି ପୋଖରୀ ପାଣିକୁ ପୁଣି ସେହି ପୋଖରୀକୁ ଏପରି ଭାବରେ ଛାଡ଼ନ୍ତୁ ଯେପରି ବର୍ଷା ହେଲା ପରି ଉପରୁ ପାଣି ପଡ଼ିବ ।
ପାଣିର ଅମ୍ଳତ୍ୱ ବେଶି ବଢିଗଲେ ଏସିଡ଼ୋସିସ୍ ନାମକ ରୋଗ ମାଛଙ୍କୁ ହୋଇଥାଏ ।
ଲକ୍ଷଣ
ମାଛ ଖୁବ୍ ଅସ୍ଥିର ଭାବେ ପହଁରେ । କ୍ଷୁଧାଶକ୍ତି ସଂପୂର୍ଣ୍ଣଭାବେ କମିଯାଏ । ମାଛ ବେଳେ ବେଳେ ପୋଖରୀ ଡ଼େଇଁ ପଳାଇଯିବାକୁ ଉଦ୍ୟମ କରେ । କେତେକାଂଶରେ ମାଛର ଗାଲିସି ଗାଢ ଧୂସର ରଙ୍ଗର ଦାଗ ମଧ୍ୟ ଦେଖାଯାଏ ।
ପ୍ରତିକାର
ପୋଖରୀ ପାଣିର ଅମ୍ଳତ୍ୱ ପରୀକ୍ଷା କରି ଏକର ପିଛା କ୍ୟାଲସିୟମ କାର୍ବୋନେଟ୍ (ଚୂନ) 240 କି.ଗ୍ରା. ପ୍ରୟୋଗ କରିବାକୁ ପଡ଼ିଥାଏ । ଏହି ଚୂନ ପରିମାଣକୁ ସମାନ ତିନିଗୋଟି କିସ୍ତିରେ ସପ୍ତାହିକ ଅନ୍ତରରେ ପୋଖରୀରେ ପକାଯାଇଥାଏ ।
ମାଛର ପୁଷ୍ଟିଜନିତ ଅଭାବ ରୋଗ
ଉପଯୁକ୍ତ ଖାଦ୍ୟାଭାବରୁ ଏହି ରୋଗ ମାଛଙ୍କୁ ହୋଇଥାଏ । ସାଧାରଣତଃ ଯେଉଁ ଚାଷୀଭାଇମାନେ ଅଳ୍ପ ଜାଗାରେ ବହୁତ ମାଛ ଛାଡ଼ିଥାନ୍ତି ଏବଂ ମାଛଙ୍କୁ ଖାଇବା ପାଇଁ ପୂରକ ଆହାର ବା କୃତ୍ରିମ ଖାଦ୍ୟ ଅନୁମୋଦିତ ମାତ୍ରାରେ ନଦେବା ସଙ୍କେ ସଙ୍ଗେ ପୋଖରୀ ପ୍ରାକୃତିକ ଖାଦ୍ୟ (ପ୍ଲାବକ) ସୃଷ୍ଟି ନିମିତ୍ତ ବିଶେଷ ଧ୍ୟାନ ଦେଇ ନଥାନ୍ତି, ସେହି ପୋଖରୀରେ ମାଛ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ଲକ୍ଷଣ
ମାଛ ଶରୀର ବିକୃତ ହେବା ସଙ୍ଗେ ସଙ୍ଗେ ଦେହ ସରୁଆ ଓ ମୁଣ୍ଡ ବଡ଼ ଦେଖାଯାଏ । ମାଛ ବଢେ ନାହିଁ ଓ ଅନ୍ୟାନ୍ୟ ରୋଗ ପରେ ପରେ ସହଜରେ ସଂକ୍ରମଣ କରିଥାଏ ।
ପ୍ରତିକାର
ପୋଖରୀରେ ଗବର ଓ ସାର ଦେଇ ପ୍ରାକୃତିକ ଖାଦ୍ୟ (ପ୍ଲବକ) ବଢାଇଦେଲେ ଏବଂ କୁଣ୍ଡା ପିଡ଼ିଆ ଇତ୍ୟାଦି ପୂରକ ଆହାର ଅନୁମୋଦିତ ମାତ୍ରାରେ ପ୍ରତ୍ୟହ ଖାଇବାକୁ ଦେଲେ ମାଛମାନେ ରୋଗମୁକ୍ତ ହୁଅନ୍ତି ।
ଅଧିକ ଜାଣନ୍ତୁ
- କାର୍ପ ମାଛ ଚାଷ (Carp Fish Farming) ସମ୍ପର୍କରେ
- ପୋଖରୀରେ ଅନାବନା ଘାସ ଦମନ କେମିତି କରିବେ?
- ମଧୁର ଜଳ ମାଛରୋଗର ଲକ୍ଷଣ ଓ କାରଣ
- ମାଛମାନଙ୍କର ଜୀବାଣୁ ଜନିତ ରୋଗ ଓ ତାର ପ୍ରତିକାର
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ବାୟୋଫ୍ଲକ (ଜୈବପୁଞ୍ଜ) ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ ଯୋଜନା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଜଳକୃଷି ପାଇଁ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ନିମନ୍ତେ ସ୍ୱତନ୍ତ୍ର ସରକାରୀ ପ୍ରୋତ୍ସାହନ
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା
- ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY)ମାଧ୍ୟମରେ ଫାର୍ମ ପୋଖରୀରେ ମାଛ ଚାଷ ନିମନ୍ତେ ମତ୍ସ୍ୟଚାଷୀଙ୍କୁ ସହାୟତା
ମାଛ ଚାଷ ପୋଖରୀରେ ରୋଗ ପ୍ରତିଷେଧକ ବ୍ୟବସ୍ଥା
- ମାଛ ଯାଆଁଳ ଛାଡ଼ିବାର 15 ଦିନରୁ 1 ମାସ ପୂର୍ବରୁ ପୋଖରୀ ପାଣିରେ 100 କି.ଗ୍ରା କାର୍ବୋନେଚ୍ ବା ପଥର ଚୂନକୁ ସଙ୍ଗେ ସଙ୍ଗେ ପାଣିରେ ବତୁରାଇ ଗରମ ଥିବା ଅବସ୍ଥାରେ ପ୍ରୟୋଗ କରନ୍ତୁ । ଏହା ମାଛ ଚାଷର ପ୍ରଥମ ପ୍ରତିଷେଧକ ଟୀକା ଭଳି କାମ କରିଥାଏ ।
- ଏହାଛଡ଼ା ଶୀତ ପଡ଼ିବା ପୂର୍ବରୁ ଯଥା – ଅକ୍ଟୋବର ମାସ ପ୍ରଥମ ସପ୍ତାହ (ଆଶ୍ୱିନ ମାସ) ଏବଂ ଅତ୍ୟଧିକ ଶୀତ ସମୟରେ ଯଥା- ଜାନୁଆରୀ ମାସ ପ୍ରଥମ ସପ୍ତାହ (ମାଘ ମାସ) ରେ ଏକକ ପିଛା ପ୍ରତ୍ୟେକ ଥର 50 କି.ଗ୍ରା. ଲେଖାଏଁ ପଥର ଚୂନ ପ୍ରୟୋଗ କରନ୍ତୁ । ଏହା ଛଡ଼ା ଅନ୍ୟ ମାସଗୁଡ଼ିକରେ ପ୍ରଥମ ସପ୍ତାହରେ 20-30 କି.ଗ୍ରା. ପଥର ଚୂନ ଜୈବିକ ଖତ ପ୍ରୟୋଗର 7 ଦିନ ପୂର୍ବରୁ ପକାଇବା ଉଚିତ । ପୋଖରୀରେ ମାଛଥିବା ଅବସ୍ଥାରେ ଚୂନକୁ ରାତିସାରା ବତୁରାଇ ସକାଳେ ପ୍ରୟୋଗ କରାଯାଇଥାଏ ।
- ପୋଖରୀରେ ମାଛ ରୋଗ ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ଏକର ପିଛା 240 କି.ଗ୍ରା. ପଥର ଚୂନକୁ 3ଟି ସମାନ କିସ୍ତିରେ ଅର୍ଥାତ – ଥରକୁ 80 କି.ଗ୍ରା. ହିସାବରେ ସପ୍ତାହ ଅନ୍ତରରେ ପୋଖରୀରେ ପ୍ରୟୋଗ କରାଯିବା ଆବଶ୍ୟକ ।
- ସେହିଭଳି ନଭେମ୍ବର ମାସ ପ୍ରଥମ ସପ୍ତାହ ଏବଂ ଫେବୃୟାରୀ ମାସ ପ୍ରଥମ ସପ୍ତାହରେ ପ୍ରତ୍ୟେକ ଥର ଏକର ପିଛି 400 ମି.ଲି. ସିଫାକ୍ସ ଔଷଧକୁ 100 ଲିଟର ପାଣିରେ ମିଶାଇ କ୍ଷତରୋଗର ପ୍ରତିଷେଧକ ଭାବେ ପୋଖରୀରେ ପକାନ୍ତୁ ।
- ସର୍ବୋପରି ପୋଖରୀକୁ ଦଳମୁକ୍ତ ତଥା ଛାୟ ବିହୀନ ରଖନ୍ତୁ । ବାହାରର ଆବର୍ଜନାମୟ ପାଣି ପୋଖରୀକୁ ପଶିବାକୁ ଦିଅନ୍ତୁ ନାହିଁ ।
- ଆବଶ୍ୟକ ମୁତାବକ କୃତ୍ରିମ ଖାଦ୍ୟ ଏବଂ ଅନୁମୋଦିତ ମାତ୍ରାରେ ପୋଖରୀରେ ଖତସାର ପ୍ରୟୋଗ କରନ୍ତୁ ।
- ପୋଖରୀରେ ହାରାହାରି ଜଳ ଗଭୀରତା 5 ଫୁଟରୁ କମ୍ ହେବାକୁ ଦିଅନ୍ତୁ ନାହିଁ ।
- ପ୍ରତ୍ୟେକ 15 ଦିନ ଅନ୍ତରରେ ଫିଙ୍ଗାଜାଲ ପକାଇ କିଛି ମାଛଙ୍କୁ ଧରି ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଶରୀର ବୃଦ୍ଧି ବିଷୟରେ ଯାଞ୍ଚ କରିନିଅନ୍ତୁ ।
ଏହିଭଳି ଯତ୍ନ ନିଆଗଲେ ପୋଖରୀରୁ ମାଛରେ ରୋଗ ବିହୀନ ମାଛଚାଷ କରି ଚାଷୀଟିଏ ଲାଭବାନ ହୋଇପାରିବ ।
ସୂଚନା ସଂଗୃହୀତ- ଦୂର ଶିକ୍ଷା କାର୍ଯ୍ୟକ୍ରମ, ଓୟୁଏଟି, ଭୁବନେଶ୍ୱର ।