ଭାରତରେ ଦେଖାଯାଉଥିବା ମହୁମାଛିମାନଙ୍କର ରୋଗ ମାନଙ୍କ ମଧ୍ୟରେ ଥାଇ ସ୍ୟାକ୍ ବ୍ରୁଡ଼୍ ରୋଗ (Thai Sac brood) ଏବଂ ଝାଡ଼ା ରୋଗ (Dysentery) ପ୍ରଧାନ ଅଟେ ।
ଥାଇ ସ୍ୟାକ୍ ବ୍ରୁଡ଼୍ ରୋଗ (Thai Sac brood disease)
ଏହା ଏକ ଭୂତାଣୁ (Virus) ଜନିତ ରୋଗ । ଏହାର ବାହକ ଅଷ୍ଟପଦୀ ହୋଇଥାଏ । ମହୁମାଛିର ଶାବକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ, ସେଗୁଡ଼ିକ ପଚି ଥଳି ବା ସ୍ୟାକ ସଦୃଶ ଦେଖାଯାଉଥିବାରୁ ଏହି ରୋଗର ଏଭଳି ନାମକରଣ ହୋଇଅଛି ।
ସଂକ୍ରମଣର ଇତିହାସ
- ଆମ ଦେଶରେ 1978 ମସିହାରେ ପ୍ରଥମକରି ନାଗାଲ୍ୟାଣ୍ଡ ରାଜ୍ୟରେ ଏହି ରୋଗ ମହୁମାଛିକୁ ହେବାର ସୂଚନା ମିଳେ ।
- 1978 ରୁ 1988 ମସିହା ମଧ୍ୟରେ ଉତ୍ତର ଓଡ଼ିଶାରେ ଏବଂ 1991 ରୁ 1992 ମସିହାରେ ଏହି ରୋଗ ଦକ୍ଷିଣ ଭାରତରେ ପ୍ରଥମେ ହୋଇଥିବାର ତଥ୍ୟ ମିଳିଛି । ପରବର୍ତ୍ତୀ ସମୟରେ ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶାରେ ଦେଖାଦେଇଛି ।
- ଏହି ରୋଗ 2 ରୁ 4 ବର୍ଷ ଅନ୍ତରରେ ଅମ ରାଜ୍ୟରେ (1987, 1990, 1994, 1996, 2000 ଏବଂ 2002 ମସିହାରେ) କେତେକ ସ୍ଥାନରେ ମହୁମାଛିଙ୍କୁ ହୋଇଥିଲା ।
- 1980 ରୁ 1986 ମସିହା ମଧ୍ୟରେ ଥାଇ ସ୍ୟାକ ବ୍ରୁଡ଼୍ ରୋଗ ଦ୍ୱାରା ଭାରତୀୟ ସପ୍ତଫେଣୀ ମହୁମାଛି ଆକ୍ରାନ୍ତ ହୋଇ ଶତକଡ଼ା 95 ଭାଗ ମହୁମାଛି ଦଳ ନଷ୍ଟ ହୋଇଥିଲା ବୋଲି ଏକ ସର୍ବେକ୍ଷଣରୁ ସୂଚନା ମିଳେ ।
- ଏହି ରୋଗ ଇଟାଲୀୟ ମହୁମାଛିଙ୍କୁ ମଧ୍ୟ ଆକ୍ରମଣ କରିବାର ପାଶ୍ଟାତ୍ୟ ଦେଶରେ ନଜିର ଅଛି ।
ଏହି ରୋଗର ଲକ୍ଷଣ
- ରାଣୀ ମହୁମାଛି ପ୍ରଚୁର ଅଣ୍ଡା ଦେଉଥିଲେ ମଧ୍ୟ ବର୍ଷର ଯେଉଁ ସମୟରେ ପ୍ରଚୁର ପରିମାଣରେ ପ୍ରାକୃତିକ ମହୁ ଓ ପରାଗ ରେଣୁ ମିଳୁଥାଏ, ସେହି ସମୟରେ ମହୁମାଛି ଦଳ ସବଳ ହେବା ପରିବର୍ତ୍ତେ ଦୁର୍ବଳ ହୋଇ ଦଳରେ ମହୁମାଛି ସଂଖ୍ୟା କମି ଯାଇଥାଏ ।
- ଶୂକ ଗୁଡ଼ିକ ଖୋସା ପୋକ (Pupa) ଅବସ୍ଥା ଆସିବା ପୂର୍ବରୁ ମରିଯାଆନ୍ତି ।
- ମୃତ ଶାବକର ମୁଣ୍ଡପଟ କଳା ପଡ଼ି ଖୋପର ମୁହଁରେ ଦିଶେ ।
- ଆକ୍ରାନ୍ତ ଶାବକ ପ୍ରଥମେ ହଳଦିଆ କିମ୍ବା ପାଉଁଶିଆ ବା ବାଦାମୀ ରଙ୍ଗର (ଶୁଖିଲା ରସୁଣ ପାଖୁଡ଼ା ଭଳି) ହୋଇ କ୍ରମେ କଳାପଡ଼ି ଶେଷରେ କାତି ଆକାର ହୋଇ ଖୋପର ତଳଭାଗରେ (ଛୋଟ ଅବସ୍ଥା ଅର୍ଥାତ 3ୟ ରୁ 4 ର୍ଥ ଦିନରେ ମରିଥିଲେ ଲୋଚାକୋଚା ହୋଇ କିମ୍ବା 5ମ ଓ ଶେଷ ଦିନରେ ମରିଥିଲେ ଲମ୍ବ ଭାବରେ) ରହିଥିବାର ଦେଖାଯାଏ ।
- ଆକ୍ରାନ୍ତ ଫେଣାରେ ଖୋପର ମୁଦ (seal) ଦବି ଯାଇଥାଏ କିମ୍ବା ଛିଦ୍ରଯୁକ୍ତ ହୋଇଥିବା ଦୃଷ୍ଟିଗୋଚର ହୁଏ ।
ଏହି ରୋଗ ଆକ୍ରମଣର ପ୍ରଭାବ
- ଦଳରେ ଏହି ରୋଗ ହେଲେ ଦଳ ଦୁର୍ବଳ ହୋଇଯାଏ ଓ ମହୁ ଉତ୍ପାଦନ କମିଯାଏ ।
- ଅଧିକ ଦିନ ଏହି ରୋଗ ଲାଗି ରହିଲେ ପଚା ଗନ୍ଧର ପ୍ରଭାବରେ ମହୁମାଛି ଗୁଡ଼ିକ ବାକ୍ସ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି ।
- ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବ୍ କମ୍ ସମୟରେ ଗୋଟିଏ ଦଳରୁ ଅନ୍ୟଦଳକୁ ବ୍ୟାପିବା ପ୍ରକ୍ରିୟା ଆରମ୍ଭ ହୋଇ ଗ୍ରାମର କିମ୍ବା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଯାଏ ।
- ଏହା ଶରତ କିମ୍ବା ବସନ୍ତ ଋତୁରେ ଅଧିକ ବ୍ୟାପି ଥାଏ ।
ରୋଗ ପରିଚାଳନା
ଭୂତାଣୁ ଜନିତ ଏହି ରୋଗର କୌଣସି ପ୍ରତିକାର ନଥିଲେ ମଧ୍ୟ ଦଳକୁ ସବଳ କରି ରଖିବା ପାଇଁ ବ୍ୟବସ୍ଥା କଲେ ଏ ରୋଗର ପ୍ରାଦୁର୍ଭାବ କମ୍ ହୋଇଥାଏ ।
- ରାଣୀ ମହୁମାଛିକୁ 7 ରୁ 8 ଦିନ ପର୍ଯ୍ୟନ୍ତ ଯନ୍ତାରେ ଆବଦ୍ଧ କରି ରଖିଲେ ବଂଶ ବୃଦ୍ଧି କମିଥାଏ ଏବଂ ରୋଗ ପ୍ରାଦୁର୍ଭାବ କମିଯାଏ ।
- ରୋଗ ସଂକ୍ରମିତ ଅବସ୍ଥାରେ ମହୁମାଛି ଦଳ ବଦଳ, ସ୍ୱାର୍ମ ଧରିବା କିମ୍ବା ବାକ୍ସର ଅଂଶ ଗୁଡ଼ିର ଅଦଳ ବଦଳ ନକରିବା ଉଚିତ୍ ।
- ଦେଶୀୟ ପଦ୍ଧତି ଯଥା- ଚିନି ସିରାରେ ହେଙ୍ଗୁ ( Asafoetida), ହଳଦୀ ଗୁଣ୍ଡ (Turmeric powder), ଭୂଇଁ ନିମ୍ବ ରସ (Kalmegh juice) କିମ୍ବା ରସୁଣ ବଟା (Garlic Paste) ମିଶାଇ ମହୁମାଛିକୁ ଖାଇବାକୁ ଦିଆଯାଇ ସଫଳତା ମିଳିଥିବା ପ୍ରମାଣ ରହିଛି ।
ଝାଡ଼ା ରୋଗ (Dysentery)
- ସାଧାରଣତଃ ମହୁମାଛିମାନଙ୍କୁ ବର୍ଷାଦିନରେ ଝାଡା ରୋଗ ହୋଇଥାଏ ।
- ଏହି ରୋଗ ହେଲେ ତଳପଟାରେ ମହୁମାଛିମାନଙ୍କ ଦ୍ୱାରା ନିର୍ଗତ ହଳଦିଆ ଦୁର୍ଗନ୍ଧ ଯୁକ୍ତ ବହଳିଆ ଝାଡ଼ା ଦେଖାଯାଏ ।
ଏହି ରୋଗର କାରଣ
- ଅତିରିକ୍ତ ଖାଦ୍ୟ ଖାଇବା
- ଅନୁପଯୁକ୍ତ ଖାଦ୍ୟ ଖାଇବା
- ଦୂଷିତ ଜଳ ବ୍ୟବହାର କରିବା କିମ୍ବା
- ଅବରୁଦ୍ଧ ଅବସ୍ଥାରେ ରହିଲେ
ପରିଚାଳନା
ମେଟ୍ରନ (Metron) ଔଷଧ 5 ମିଲିଗ୍ରାମକୁ 5 ମିଲି ଗ୍ରାମ ମହୁ ସହ କିମ୍ବା ଚିନି ଶିରାରେ ଗୋଳାଇ ମହୁବାକ୍ସ ଭିତରେ ଖାଇବାକୁ ଦେଲେ, ମହୁମାଛି ଝାଡ଼ା ରୋଗ ଭଲ ହୋଇଥାଏ ।
ମହୁମାଛି ସମନ୍ଧରେ ଅଧିକ ସୂଚନା
ଓଡ଼ିଶାରେ ଦେଖାଯାଉଥିବା ମହୁମାଛି
ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା