ଆମେ ସାଧାରଣତଃ ଛତୁଚାଷ କହିଲେ ପାଳଛତୁ, ଧିଙ୍ଗିରୀଛତୁ ବା ବଟନଛତୁକୁ ଜାଣିଥାଉ । ତେବେ ଆମେ ଆଉ ଗୋଟିଏ ଭିନ୍ନ ପ୍ରକାର ଛତୁ ଚାଷ କରିପାରିବା, ତାର ନାମ ହେଉଛି କ୍ଷୀରଛତୁ ବା ଦୁଧଛତୁ । ବ୍ୟବସାୟିର ଭିତ୍ତିରେ ଚାଷ କରାଯାଉଥିବା ଛତୁ ମାନଙ୍କ ମଧ୍ୟରେ ଦୁଧଛତୁ ତୃତୀୟ ସ୍ଥାନ ଅଧିକାର କରିଅଛି । ଏହା ଦେଖିବାକୁ ଧଳା, ମାଂସଳ, ସ୍ୱାଦିଷ୍ଟ ଓ ପୋଷଣଯୁକ୍ତ, ଏହାର ବୈଜ୍ଞାନିକ ନାମ Calocybe indica । ଏହିଛତୁ ମଧ୍ୟ ଓଡ଼ିଶାରେ ଚାଷ କରାଯାଇ ପାରିବ । ତେବେ ଏହାକୁ ଚାଷ କରିବା ନିମନ୍ତେ କଣ କଣ ସାମଗ୍ରୀ ଦରକାର ଓ ଏହାର ଚାଷ ପ୍ରଣାଳୀ ବିଷୟରେ ଜାଣନ୍ତୁ ….
ଦୁଧଛତୁ ଚାଷର ଉପକାରୀତା
- ଏହି ଛତୁ ଦେଖିବାକୁ ଧଳା, ମାଂସଳ, ସ୍ୱାଦିଷ୍ଟ ଏବଂ ଏଥିରେ କୋଲେଷ୍ଟ୍ରୋଲର ମାତ୍ରା ଅତି ନ୍ୟୁନ ।
- ଚାଷ ପ୍ରଣାଳୀ ସହଜ ଓ ସରଳ ।
- ଉଷ୍ମ ଓ ଆର୍ଦ୍ରତା ଥିବା ପାଣିପାଗ ଚାଷ ପାଇଁ ଉତ୍ତମ ।
- କୃଷିରୁ ଉତ୍ପନ୍ନ ବିଭିନ୍ନ ବର୍ଜ୍ୟବସ୍ତୁରେ ଦୁଧଛତୁ ଚାଷ କରାଯାଇପାରେ ।
- ଏହାର ଉତ୍ପାଦନ ପରିମାଣ ପାଳଛତୁଠାରୁ ଅଧିକ (80-100 ପ୍ରତିଶତ) ।
- ଅଧିକଦିନ (3-5 ଦିନ) ସାଇତି ରଖାଯାଇପାରିବ ।
ଅଧିକ ଜାଣନ୍ତୁ
ବିଶେଷ ଗୁଣ:
- ଉଚ୍ଚ ତାପମାତ୍ରା ପ୍ରଜାତି
- ଉତ୍କୃଷ୍ଟ ସେଲ୍ଫ ଲାଇଫ୍ ଏବଂ ନୋ ବ୍ରାଉନିଂ
- ଫାଇବର ର ମାତ୍ରା ଅଧିକ
ପାଣିପାଗ
- ଉତ୍ତାପ – 25 – 38 ଡିଗ୍ରୀ ସେ.ଗ୍ରେଡ଼୍
- ଆର୍ଦ୍ରତା – 85%
- ଆଲୋକ – 200 ଲକ୍ସ
- ସାନ୍ଦ୍ରତା – 6.5 – 7
- ପବନ- ଫିମ୍ପି ମାଡିବା ସମୟରେ କମ୍ ପବନ କିନ୍ତୁ କଢ଼ ଆସିବା ସମୟରେ ଉତ୍ତମ ପବନ ଆବଶ୍ୟକ
ଆବଶ୍ୟକ ଉପକରଣ
ଦୁଧଛତୁ ଚାଷ କରିବା ପାଇଁ ନିମ୍ନଲିଖିତ ଉପାଦାନ ଗୁଡିକ ନିତାନ୍ତ ଆବଶ୍ୟକ (ବ୍ୟାଗପ୍ରତି ପରିମାଣ)
- ନଡା /କୁଟା – 1.5 ରୁ 2 କି. ଗ୍ରା.
- ମଞ୍ଜି – 150 ଗ୍ରାମ
- ପଲିଥିନ – 80 x 40 ସେଣ୍ଟିମିଟର
- ଖତର ଆବରଣ 0.5 ରୁ 1 କି.ଗ୍ରା.
ଚାଷ ପ୍ରଣାଳୀ-
- ପ୍ରଥମେ ନଡା କିମ୍ବା କୁଟାକୁ 1-1.5 ଇଞ୍ଚ ଲମ୍ବ କରି କାଟିଦେବେ ।
- ପାଣିରେ 1 ପ୍ରତିଶତ ଚୁନ ପକାଇ କଟାନଡାକୁ 5 ରୁ 6 ଘଣ୍ଟା ବତୁରାଇ ଦେବେ ।
- ଓଦା ନଡାକୁ ଛାଣି ବିଶୋଧନ କରିବେ (ବିଭିନ୍ନ ଉପାୟରେ ବିଶୋଧନ କରିପାରିବେ )
- ନଡାକୁ ଯେକୌଣସି ଯାଗା (ଧାନହଣ୍ଡା /ଅଟୋକ୍ଲେଭ୍)ରେ 2 ଘଣ୍ଟା ପର୍ଯ୍ୟନ୍ତ ବାମ୍ପେଇବେ (80 ଡିଗ୍ରୀ ସେଣ୍ଟିଗ୍ରେଡ)
- ଶୁଖା ନଡାକୁ 2 ଘଣ୍ଟା ଗରମପାଣି (80 ଡିଗ୍ରୀ ସେଣ୍ଟିଗ୍ରେଡ୍) ରେ ବତୁରାଇବେ ।
- ବତୁରାଇବା ପରେ ନଡାକୁ ଭଲଭାବରେ ପାଣି ନିଗାଡି ଖରାରେ ଖୁଖାଇଦେବେ ଏବଂ 2 ଘଣ୍ଡା ପରେ ଏହାକୁ ଗଦାକରି ଧଳା ପଲିଥିନ ଘୋଡାଇଦେବେ । ଯାହାଫଳରେ ନଡା ବିଶୋଧିତ ହେବା ସହିତ 65 ପ୍ରତିଶତ ଆର୍ଦ୍ରତା ମଧ୍ୟ ପରିଚାଳିତ ହେବ ।
- ପଲିଥିନର ଗୋଟିଏ ପଟକୁ ରବରବ୍ୟାଣ୍ଡ କିମ୍ବା ସୁତୁଲି ସାହାଯ୍ୟରେ ବାନ୍ଧି ବ୍ୟାଗ ପ୍ରସ୍ତୁତ କରିବେ ।
- ସମ୍ପୂର୍ଣ୍ଣ ଫିମ୍ପି ମାରିଥିବା ଛତୁ ବିହନକୁ ନେଇ ସାଇକେଲ ସ୍ପକ୍ ସାହାଯ୍ୟରେ କାଢି କାଗଜରେ ସଂଗ୍ରହ କରି ଚାରିଭାଗ କରିଦେବେ ।
- ପଲିଥିନରେ ପ୍ରସ୍ତୁତ ହୋଇଥିବା ନଡାକୁ 4-6 ଇଞ୍ଚ ବହଳରେ ଚିପି ଚିପି ଭର୍ତ୍ତି କରିବେ । କରରେ ଏକ ଭାଗ ମଞ୍ଜିକୁ ସିଞ୍ଚନ କରିବେ । ତାଉପରେ ପୁଣି 4 ଇଞ୍ଚ ବହଳର ନଡାକୁ ଚିପି ଚିପି ଦେବେ ।
- ଚତୁର୍ଥ ସ୍ତରରେ ସବୁଆଡେ ମଞ୍ଜିକୁ ସିଞ୍ଚନ କରି 2 ଇଞ୍ଚ ବହଳର ନଡାକୁ ଘଡାଇ ସୁତୁଲି କିମ୍ବା ରବର ବ୍ୟାଣ୍ଡ ଦ୍ୱାରା ମୁହଁଟିକୁ ବାନ୍ଧି ଦେବେ ।
- ବ୍ୟାଗ ଗୁଡିକରେ 10-12 ଟି କଣାକରି ଏକ ଅନ୍ଧାରୁଆ ଘରେ ରଖିବେ (200 ଲକ୍ସ ର ଆଲୋକ) ଯେପରି ମୂଷା ଓ ପିମ୍ପୁଡି ମାନଙ୍କର ପ୍ରାଦୁର୍ଭାବ ରହିବ ନାହିଁ ।
- 20-21 ଦିନରେ ବ୍ୟାଗରେ ଛତୁ ଫିମ୍ପିମାଡ଼ି ସମ୍ପୂର୍ଣ୍ଣ ଧଳା ଦେଖାଯାଉଥିବ ।
କେସିଙ୍ଗ-
ବ୍ୟାଗର ଉପରସ୍ତରରେ ଏକ ଆବରଣ ଦିଆଯାଏ । ଯାହାଦ୍ୱାରା ଦୁଧଛତୁର କଡି ବାହାରକୁ ଆସେ ।
- (ମାଟି 50 % + କମ୍ପୋଷ୍ଟ 50 % ) ନେଇ ଗୁଣ୍ଡ କରିବେ । ଏହାକୁ ଖରାରେ ଭଲଭାବେ ଶୁଖାଇ ଦେବ ବା ଚୂନଦେଇ ସାନ୍ଦ୍ରତା 7.8 ରୁ 7.9 ପରିଚାଳନା କରିବେ । କିମ୍ବା 7 ଦିନ
- ଆଗରୁ 4 ପ୍ରତିଶତ ଫରମାଲଡିହାଇଡ୍ ପ୍ରୟୋଗ କରି କେସଂ ମାଟିକୁ ବିଶୋଧନ କହିଦେଇଥିବେ ।
- ତାପରେ ବ୍ୟାଗ ଉପରେ ସମାନ ଭାଗରେ ଖତର ଆବରଣ ଦେବେ ଏବଂ ପାଣି ସିଞ୍ଚନ କରିବେ ଯେପରି ସର୍ବଦା ଏହାର ଆର୍ଦ୍ରତା 55-65 ପ୍ରତିଶତ ରହିବା ଆବଶ୍ୟକ ।
- 7 ରୁ 10 ଦିନ ପରେ ମାଟିଦେଇ ରେଣୁ ଗୁଡିକ ଆସିବ ଏବଂ ଧିରେ ଧିରେ ଏହାର କଢ ବଡ଼ ହେବାକୁ ଲାଗିବ ।
- 7-10 ସେଣ୍ଟିମିଟର ବ୍ୟାସାର୍ଦ୍ଧ / 12 ସେଣ୍ଟିମିଟର ଲମ୍ବା ହେଲେ ଫଳକୁ ମୋଡିକରି ତୋଳିଦେବେ ।
- ଦିନକୁ ଦୁଇଥର ପାଣି ସିଞ୍ଚନ କରିବେ । 45 ଦିନ ଭିତରେ 80-100 ପ୍ରତିଶତ ଛତୁ ଅମଳକରାଯାଇପାରିବ ।
ଅସୁବିଧା
- ପାଣିପାଗ- ଦୁଧଛତୁ ତାମମାତ୍ରା ଏବଂ ଆଦ୍ରତା ସମ୍ବେଦନଶୀଳ ।
- ଋତୁ ଭିତ୍ତିକ- ଏହା କେବଳ ବର୍ଷାଦିନେ ଓ ଆବଶ୍ୟକ ଉତ୍ତାପଥିବା ତାପମାତ୍ରାରେ ଚାଷ କରାଯାଇପାରିବ ।
ଅବଧି-
ଏହି ଚାଷର ଅବଧି ଅଧିକ (45 ଦିନ)
- ବଜାର ଚାହିଦା- ବର୍ତ୍ତମାନ ଅଳ୍ପ ସ୍ଥାନରେ ଚାଷ କରାଯାଉଥିବାରୁ ବଜାର ଚାହିଦା ଆକଳନ କରାଯାଇପାରି ନାହିଁ ।
ସୂଚନା – କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼-1