ମହୁମାଛି ଏକ ସାମାଜିକ ଜୀବ ଏବଂ ଏମାନଙ୍କ ମଧ୍ୟରେ ଶ୍ରେଣୀ ବିଭାଗ ରହିଛି । ପ୍ରତ୍ୟେକ ଦଳରେ ତିନି ଶ୍ରେଣୀର ମାଛି ରହିଥାନ୍ତି । ଯଥା- କ) ରାଣୀ ମହୁମାଛି, ଖ) ଅଣ୍ଡିରା ମହୁମାଛି ଓ ଗ) କର୍ମୀ ମହୁମାଛି
- ରାଣୀ ମାଛିର ଉପସ୍ଥିତିରେ ଉଭୟ ପୁରୁଷ ଓ ଶ୍ରମୀକ ମାଛି ସଂଗଠିତ ଏବଂ ଶୃଙ୍ଖଳିତ ଭାବରେ କାର୍ଯ୍ୟ ସୂଚାରୁ ରୂପେ କରିଥାନ୍ତି ।
- ମହୁମାଛି ବଂଶରେ ଏକ ରାଣୀମାଛି, ଅନେକ ଶ୍ରମିକ ମାଛି ଓ କିଛି ଅଣ୍ଡିରା ମାଛି ଥାଆନ୍ତି ।
- ମଧୁସ୍ରାବ ସମୟକୁ ଏହା ବୃଦ୍ଧି ହୋଇ ଭାରତୀୟ ମହୁମାଛିରେ 15000 ରୁ 30000 ପର୍ଯ୍ୟନ୍ତ ଏବଂ ପାଶ୍ଚାତ୍ୟ ମହୁମାଛିରେ 30,000 ରୁ 80,000 ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଯେତେବେବେ ଖାଦ୍ୟ ସ୍ରୋତ କମିଯାଏ ସେତେବଳେ ଏମାନଙ୍କ ସଂଖ୍ୟ କମ୍ ହୋଇଯାଏ କିମ୍ବା ଯେତେବଳେ ବଂଶ ବୃଦ୍ଧିର ସମୟ ଆସେ ସେତେବେଳେ ପୁରୁଷ ମହୁମାଛିମାନଙ୍କର ସଂଖ୍ୟା 100 ରୁ 1000 ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ ଯେତେବେଳେ ସେମାନଙ୍କର ଆବଶ୍ୟକତା ନଥାଏ ସେତେବେଳେ ସେମାନଙ୍କ ରଖି ପାଳିବା ଦରକାର ପଡ଼େ ନାହିଁ। ଯଦି ଏମାନେ ବଂଶରେ ରହିଯାଆନ୍ତି ତାହେଲେ ସେମାନଙ୍କୁ ମାରି ଦିଆଯାଏ।
- ମହୁମାଛି ଦେଇଥିବା ଅବନ୍ଧ୍ୟା ଅଣ୍ଡାରୁ ଶ୍ରମିକ ଏବଂ ରାଣୀ ଜନ୍ମଲାଭ କରେ । ପୁରୁଷ ମହୁମାଛି ବନ୍ଧ୍ୟା ଅଣ୍ଡାରୁ ଜନ୍ମ ହୋଇ ବିକାଶ ଲାଭ କରେ ।
- ଏହି ତିନି ପ୍ରକାର ମହୁମାଛି ବ୍ୟତୀତ ସେମାନଙ୍କ ଅଣ୍ଡା, ଶୁକ, ଖୋସା, ଆଦି ମଧ୍ୟ ମହୁମାଛି ଫେଣାରେ ଦେଖାଯାଆନ୍ତି ।
ରାଣୀ ମହୁମାଛି
ରାଣୀ ମହୁମାଛିକୁ ଦଳର ମୁଖିଆର ସମ୍ମାନ ଦିଆଯାଇଥାଏ । ଏହା ନିଜ ଗୋଷ୍ଠୀର ଅନ୍ୟ ସମସ୍ତ ମାଛିଙ୍କ ଠାରୁ ଆକାରରେ ବଡ଼ ଏବଂ ତମ୍ବାଳିଆ ରଙ୍ଗର । ଏହାର ଶରୀର ଅନୁପାତରେ ଡ଼େଣା ଦୁଇଟି ଛୋଟ, ଗୋଡ଼ ଗୁଡ଼ିକ ଲମ୍ବ ଓ ଲୋମ ବିହୀନ, ମୁଣ୍ଡଟି ଗୋଲ ଏବଂ ଆଖି ଦୁଇଟି ବଡ଼ ବଡ଼ । ଦଳରେ ଥିବା ରାଣୀ ମହୁମାଛି ଏକମାତ୍ର ପୂର୍ଣ୍ଣାଙ୍ଗ ମାଈ ମହୁମାଛି ।
କର୍ମୀ ମହୁମାଛିମାନେ ଶାବକ କକ୍ଷର ଫେଣା ତଳଧାରରେ ଅସ୍ଥାୟୀ ଲମ୍ବାଳିଆ ରାଣୀ ଖୋପମାନ ପ୍ରତିବର୍ଷ ଗଠନ କରନ୍ତି । ଖୋପ ଗୁଡ଼ିକ ମହମ ଏବଂ ପରାଗରେଣୁର ସମିଶ୍ରଣରେ ନିର୍ମିତ ହୋଇଥାଏ । ଫେଣା ତଳ ଭାଗରେ ଥିବା କର୍ମୀ ଖୋପରେ, ରାଣୀ ମାଛି ଅବନ୍ଧ୍ୟା ଅଣ୍ଡା ଦେବା ପରେ ବାହାରକୁ କେନ୍ଦ୍ର କରି କର୍ମୀମାଛି ମାନେ ରାଣୀ ଖୋପ ଗଠନ କରନ୍ତି ଏବଂ ସେହି ଅବନ୍ଧ୍ୟା ଅଣ୍ଡାରୁ ବାହାରିଥିବା ଶୁକକୁ ‘ରୟାଲ ଜେଲି’ ଖାଇବାକୁ ଦିଅନ୍ତି । ବୈଜ୍ଞାନିକମାନଙ୍କ ମତରେ ରାଣୀ ଖୋପର ମୂଳଦୁଆ ଆରମ୍ଭ ହେବା ପରେ କର୍ମୀମାଛିମାନେ ଅନ୍ୟ ଖୋପରୁ ଅବନ୍ଧ୍ୟା ଅଣ୍ଡାଟିଏ ଆଣି ଉକ୍ତ ଖୋପରେ ରଖିଦିଅନ୍ତି । ରାଣୀମାଛି ପୂର୍ଣ୍ଣାଙ୍ଗ ହେବାର ଏକ ସପ୍ତାହ ଭିତରେ ପୁରୁଷ ମାଛିର ସଂସ୍ପର୍ଶରେ ଆସି ଅଣ୍ଡା ଦେବା ଆରମ୍ଭ କରିଥାଏ । ସଙ୍ଗମ ପାଇଁ ରାଣୀମାଛି ମହୁଫେଣା ଛାଡ଼ି ବାହାରକୁ ଯାଇଥାଏ । ରାଣୀମାଛି ସହିତ ପୁରୁଷ ମାଛି ମଧ୍ୟ ଯାଆନ୍ତି । ସାଧାରଣତଃ ମାତ୍ର ଗୋଟିଏ ଥର ଏହି ଉଦ୍ଦେଶ୍ୟରେ ରାଣୀମାଛି ବସା ଛାଡ଼ି ବାହାରକୁ ଉଡ଼ି ଯାଇଥାଏ । ଆକାଶରେ ଏହି ଉଡ଼ାଣ ସମୟରେ ରାଣୀମାଛି ଏକାଧିକ ପୁରୁଷଙ୍କ ସଙ୍ଗେ ସଙ୍ଗମକରି ବସାକୁ ଫେରିଆସେ । ଫେରିବାର 3 ଦିନ ପରେ ରାଣୀମାଛି ସ୍ୱଇଚ୍ଛାରେ ଦଳର ଆବଶ୍ୟକତା ଅନୁଯାୟୀ ପ୍ରତି ମହୁଘେରାରେ ଗୋଟି ଗୋଟି କରି ବନ୍ଧ୍ୟା ବା ଅବନ୍ଧ୍ୟା ଅଣ୍ଡା ଦେଇଥାଏ । ରାଣୀମାଛି ଏକାଦିନକେ ହାରାହାରି 300 ପର୍ଯ୍ୟନ୍ତ ଅଣ୍ଡାଲ ଦେଇଥାଏ । ଅଣ୍ଡାଗୁଡ଼ିତ 3-4 ଦିନରେ ଫୁଟି ତା ମଧ୍ୟରୁ ଧଳା ଶୁକ ବାହାରେ । ଏହି ଶୁକ ଗୁଡ଼ିକୁ ଶ୍ରମିକର ମାଛିମାନେ ଖାଦ୍ୟପେୟ ଦେଇ ଲାଳନ ପାଳନ କରିଥାନ୍ତି । ଶୁକ ଅବସ୍ଥା ସାଧାରଣତଃ 5 ଦିନ ପର୍ଯ୍ୟନ୍ତ ରହେ । ପୂର୍ଣ୍ଣାଙ୍ଗ ଶୁକ ସେହି ଘେରା ଭିତରେ ଖୋସା ବାନ୍ଧେ ଏବଂ 7-14 ଦିନ ପରେ ଏଥିରୁ ପୂର୍ଣ୍ଣାଙ୍ଗ କୀଟ ବାହାରେ । ଅଣ୍ଡା ଫୁଟିବାର 3 ଦିନ ପର୍ଯ୍ୟନ୍ତ ଶୁକ ଗୁଡ଼ିକ ‘ରୟାଲଜେଲି’ ଖାଇ ବଢନ୍ତି ଏବଂ ତାପରଠାରୁ ତାଙ୍କୁ ଶ୍ରେଣୀ ଅନୁଯାୟୀ ଖାଦ୍ୟ ଯୋଗାଇ ଦିଆଯାଇଥାଏ ।
ପ୍ରଚୁର ଖାଦ୍ୟ ଓ ଅନୁକୂଳ ପାଗ ପାଇଲେ ଏମାନଙ୍କ ସଂଖ୍ୟା ଅତ୍ୟଧିକ ବଢିଯାଇ ପାରେ ଏବଂ ଏହି ସମୟରେ ରାଣୀ ମାଛି ନୂଆ ରାଣୀମାଛି ପାଇଁ ଅଣ୍ଡା ଦେଇ ସେଥିରୁ ନୂଆ ରାଣୀମାଛି ବାହାରିବା ପୂର୍ବରୁ ଦଳେ ମାଛିଙ୍କୁ ସଙ୍ଗରେ ନେଇ ବସା ଛାଡ଼ି ଅନ୍ୟତ୍ର ଚାଲିଯାଇ ନୂଆବସା ଗଢେ । ମହୁଫେଣାରେ ନୂଆ ରାଣୀମାଛି ପାଇଁ ଫେଣାର ତଳଭାଗରେ ବଡ଼ ଆକାରର ଘରାଥାଏ, ଯେଉଁଥିରେ କି ରାଣୀ ଅଣ୍ଡା ଦେଇଥାଏ । ଏପରି ଘରା ବା ରାଣୀଖୋପକୁ ଅତି ସହଜରେ ଚିହ୍ନି ହୁଏ । ଏଥିରୁ ଯେଉଁ ରାଣୀମାଛି ବାହାରେ ତାହା ପୁରୁଣା ମହୁଘେରାରେ ରହି ପୁଣି ବଂଶ ବୃଦ୍ଧି କରେ । କୌଣସି ମହୁମାଛି ଦଳରେ ଏକାଧିକ ରାଣୀ ରହେ ନାହିଁ । ରାଣୀ ମହୁମାଛି ସାଧାରଣତଃ 2-3 ବର୍ଷ ସକ୍ରୀୟ ରହି ବଂଶବୃଦ୍ଧିରେ ସାହାଯ୍ୟ କରିଥାଏ ।
ଯେଉଁ ଋତୁରେ ମହୁ ପ୍ରଚୁର ପରିମାଣରେ ହୁଏ ସେହି ସମୟରେ ରାଣୀ ମହୁମାଛି ଦୈନିକ ପ୍ରାୟ 100 ଥର ରୟାଲ ଜେଲି ଖାଇଥାଏ । ବର୍ଷାଋତୁରେ ଅତି ଅଳ୍ପ ପରିମାଣ ରୟାଲଜେଲି ଖାଇବାକୁ ପାଉଥିବାରୁ ରାଣୀ ମହୁମାଛି ଯଥେଷ୍ଟ ଅଣ୍ଡା ଦେଇପାରେ ନାହିଁ । ସମୟ ସମୟରେ ଆଦୌ ଅଣ୍ଡା ଦିଏ ନାହିଁ । ନଭେମ୍ବରଠାରୁ ଅପ୍ରେଲ ମାସ ପର୍ଯ୍ୟନ୍ତ ପ୍ରଚୁର ଫୁଲ ଫୁଟୁଥିବା ଯୋଗୁଁ ଓଡ଼ିଶାରେ ରାଣୀମାଛି ଦୈନିକ ପ୍ରାୟ 1500 ପର୍ଯ୍ୟନ୍ତ ଅଣ୍ଡାଦିଏ । ଗୋଟିଏ ବର୍ଷରେ ଗୋଟିଏ ରାଣୀମାଛି ହାରାହାରି 1,50,000 ରୁ 2,00,000 ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ । ରାଣୀମାଛି 3 ବର୍ଷ ଜୀବନକାଳ ମଧ୍ୟରେ, ପ୍ରଥମ ଦୁଇ ବର୍ଷରେ ଯଥେଷ୍ଟ ଅଣ୍ଡା ଦିଏ ମାତ୍ର ତୃତୀୟ ବର୍ଷରେ ତାର ଅଣ୍ଡାଦେବା ଶକ୍ତି ହ୍ରାସ ପାଏ ।
ପୁରୁଷ ମାଛି
ବାନ୍ଧ୍ୟା ଅଣ୍ଡାରୁ ଜାତ ହୋଇ ଓ ସାଧାରଣତଃ ଖାଦ୍ୟ ଖାଇ ପୁରୁଷ ମାଛି ସୃଷ୍ଟି ହୁଅନ୍ତି । ପୁରୁଷ ମାଛିଟିଏ ଦେଖାବାକୁ କଳା ଏବଂ କର୍ମୀ ମାଛିଠାରୁ ସାମାନ୍ୟ ବଡ଼ । ତାର ପେଟଟି ମୋଟା ଓ ଶେଷାଂଶ ଗୋଜିଆ ନହୋଇ ଗୋଲାକାର ହୋଇଥାଏ । ତାର ନାହୁଡ଼ ନାହିଁ । ଏଣୁ କାହାରିକୁ ଆଘାତ କରିପାରେ ନାହିଁ । ତାର ସୁଗନ୍ଧ ଗ୍ରନ୍ଥି ନାହିଁ, ତେଣୁ କର୍ମୀମାଛି, ଗନ୍ଧ ଦ୍ୱାରା ଯେପରି ଅନ୍ୟ ଦଳର କର୍ମୀମାଛି ଠାରୁ ଭିନ୍ନ ବାରିହୁଏ, ସେହିପରି ପୁରୁଷ ମାଛିଙ୍କର ହୋଇପାରେ ନାହିଁ । ଯେ କୌଣସି ଦଳର ପୁରୁଷ ମାଛି ଅନ୍ୟ ଯେକୌଣସି ଦଳରେ ମିଶି ଯାଇ ପାରେ । ପୁରୁଷ ମାଛିଙ୍କ ଉଡ଼ିବା ଶକ୍ତି କର୍ମୀମାଛିଙ୍କ ଠାରୁ ପ୍ରାୟ ଦୁଇଗୁଣା । ଭାରତୀୟ ସାତଫେଣୀ ମହୁମାଛି ଦଳର କର୍ମୀମାଛିଟିଏ ସମତଳ ଅଞ୍ଚଳରେ 600 ରୁ 800 ମିଟର ଦୂର ପର୍ଯ୍ୟନ୍ତ ଖାଦ୍ୟ ସଂଗ୍ରହ ପାଇଁ ଉଡ଼ିଯାଇପାରେ କିନ୍ତି ସେହି ଦଳର ପୁରୁଷ ମାଛି ଉଡ଼ିବା ଶକ୍ତି ପ୍ରାୟ ଦେଢ କିଲୋମିଟର ।
ରାଣୀମାଛିକୁ ଗର୍ଭବତୀ କରି ମହୁମାଛି ବଂଶରକ୍ଷା କରିବା ଅଣ୍ଡିରା ମାଛିର ଏକମାତ୍ର କର୍ତ୍ତବ୍ୟ । ଯେଉଁ ବଂଶଧରମାନଙ୍କ ପାଇଁ ସେ ଆତ୍ମସ୍ୱର୍ଗ କରେ, ସେମାନଙ୍କୁ ସେ ଜୀବନରେ ଦେଖିପାରେ ନାହିଁ । ପୁରୁଷ ମାଛିର ଆୟୁଷ ଦୁଇରୁ ତିନିମାସ । ଏହି ପୁରୁଷମାଛି ଅଣ୍ଡାରୁ ଫୁଟି ଜନ୍ମଲାଭ କରିବା ଠାରୁ ପୂର୍ଣ୍ଣାଙ୍ଗ ହୋଇ ବାହାରିବାକୁ 24 ଦିନ ଲାବେ । ଜନ୍ମପରେ 7-8 ଦିନ ପର୍ଯ୍ୟନ୍ତ ଉଡ଼ିପାରେ ନାହିଁ । ଏହି ମାଛି ଫେଣାର ଉପରେ ବୁଲେ ଓ ମହୁଖାଏ ଓ 7 ରୁ 14 ଦିନ ମଧ୍ୟରେ ଉଡ଼ି ଶିଖେ ଓ ବସାକୁ ଚିହ୍ନଟ କରେ । ଖୋସାରୁ ବାହାରିବାର 14 ଦିନ ପରେ ଏହା ସଙ୍ଗମ ଉପଯୋଗୀ ହୁଏ ।
ପୁରୁଣ ମାଛିକୁ ଅଳସୁଆ କହନ୍ତି । ଏହାର ଜିହ୍ୱା ଛୋଟ । ସେ ଫୁଲରୁ ରସ ସଂଗ୍ରହ କରିପାରେ ନାହିଁ । ତାର ଗୋଡ଼ରେ ପରାଗରେଣୁ ଆଣିବାର ଥଳି ନାହିଁ, ତେଣୁ ସେ ପରାଗ ରେଣୁ ସଂଗ୍ରହ ମଧ୍ୟ କରିପାରେ ନାହିଁ, ତାର ଲାହୁଡ଼ ନାହିଁ ତେଣୁ ଶତ୍ରୁକୁ ଆଘାତ କରିପାରେ ନାହିଁ । ପୁରୁଷ ମାଛିଟିଏ ଏପରି ଗଢା ଯେ, ସେ ଦଳର ସୁରକ୍ଷା, ଉନ୍ନତି, ଖାଦ୍ୟ ସଂଗ୍ରହ କି ଖାଦ୍ୟ ସଂଚୟ ଇତ୍ୟାଦି କୌଣସି କାମ କରି ପାରିବ ନାହିଁ । ସେ କେବଳ ଦଳରେ ଗଚ୍ଛିତ ମହୁ ଖାଏ । ବଂଶ ରକ୍ଷା ପାଇଁ ଖାଇପିଇ ନିଜକୁ ଶକ୍ତିମାନ କରି ଗଢେ ଓ ଯେତେବେଳେ ବଂଶରକ୍ଷା ପାଇଁ ସମୟ ଆସେ ନିଜ ଜୀବନ ଦେଇ ଦଳର ବଂଶରକ୍ଷା କରେ । ଯଦି ଅକୃତକାର୍ଯ୍ୟ ହୁଅନ୍ତି ତାହେଲେ ଆଉ ଦଳକୁ ଫେରନ୍ତି ନାହିଁ ।
1000 ପୁରୁଷ ମାଛି ଜନ୍ମ ହେବା ପାଇଁ 700 ଗ୍ରାମ ମହୁ ଓ ପରାଗରେଣୁ ବ୍ୟବହୃତ ହୁଏ । ଜନ୍ମପରେ ପୁରୁଷ ମାଛି କେବଳ ମହୁ ଖାଏ । ହଜାରେ ମାଛି ଦୈନିକ ପ୍ରାୟ 100 ଗ୍ରାମ ମହୁ ଖାଆନ୍ତି । ମହୁଋତୁରେ ସ୍ୱାର୍ମ (ଦଳତ୍ୟାଗ) ସମୟରେ ଗୋଟିଏ ଦଳରେ ପ୍ରାୟ 2000 ରୁ 4000 ପର୍ଯ୍ୟନ୍ତ ପୁରୁଷ ମାଛି ଥାଆନ୍ତି । ଅର୍ଥାତ୍ ପୁରୁଷ ମାଛିମାନେ ସଂଗୃହୀତ ମହୁରୁ ପ୍ରତି ମାସରେ ପ୍ରାୟ 5 ରୁ 10 କେଜି ମହୁ ଖାଇ ଦିଅନ୍ତି । ତେଣୁ ଦଳରେ ବେଶୀ ପୁରୁଷ ମାଛିଙ୍କ ଉପସ୍ଥିତି ମହୁ ଉତ୍ପାଦନରେ ବ୍ୟାଘାତ ଘଟାଏ । ଏଣୁ ଆଧୁନିକ ମହୁଚାଷ ପ୍ରଣାଳୀରେ ଅତ୍ୟଧିକ ପୁରୁଷ ମାଛି ଯେପରି ଜନ୍ମ ନହୁଏ ସେଥିପାଇଁ ପ୍ରତ୍ୟେକ ମହୁଚାଷୀ ଯତ୍ନ ନେବା ଆବଶ୍ୟକ । ପୁରୁଣ ମାଛି ଯନ୍ତା ସାହାଯ୍ୟରେ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାକୁ ହୁଏ ।
ମହୁ ଆମଦାନୀ କମିଗଲେ, ପ୍ରକୃତିରେ ମହୁପ୍ରଦଫୁଲ ଶେଷ ହୋଇଗଲେ, ଭବିଷ୍ୟତକୁ ଖାଦ୍ୟାଭାବ ଅନୁଭବକରି, କର୍ମୀମାଛିମାନେ ପୁରୁଷ ମାଛିଙ୍କୁ ଦଳ ବାହାରକୁ ତଡ଼ି ଦିଅନ୍ତି । ଆଗତ୍ୟା ଓ ଅଦରକାରୀ ପୁରୁଷ ମାଛି ଗୁଡ଼ିକ ଦଳ ବାହାରକୁ ଆସି, ଫୁଲରେ ବସି, ଭୋକ ଉପାସରେ ଦୁର୍ବଳ ହୋଇ ଆପେ ଆପେ ମରିଯାଆନ୍ତି ।
ଶ୍ରମିକ ମାଛି
ମହୁମାଛି ଦଳର ଅଧିକାଂଶ ମାଛି ମାଈ ଓ ଶ୍ରମିକ ଶ୍ରେଣୀର । ମହୁମାଛି ଦଳ କହିଲେ ମୁଖ୍ୟତଃ ଏହିମାନଙ୍କୁ ହିଁ ବୁଝାଏ । ପ୍ରତ୍ୟେକ ବଡ଼ ଦଳରେ ଏମାନଙ୍କ ସଂଖ୍ୟା ପ୍ରାୟ 15,000 ରୁ 30,000 ପର୍ଯ୍ୟନ୍ତ ହୋଇଥାଏ । ଏମାନେ ଅବନ୍ଧ୍ୟା ଅଣ୍ଡାରୁ ଜାତ । ଫେଣା ଖୋପରେ ରାଣୀମାଛି ଦେଇଥିବା ଅବନ୍ଧ୍ୟା ଅଣ୍ଡାଟି ଲମ୍ବରେ 1.5 ମି.ମି. । ଅଣ୍ଡା ଦେହରେ ସାମାନ୍ୟ ଲାଳ ଅଂଶ ଥିବାରୁ ତାହା ଖୋପର ନିମ୍ନ ଭାଗରେ ଲାଗି ରହେ । ପ୍ରଥମ ଦିନଟି ଅଣ୍ଡାଟି ସିଧା ଭାବେ, 2ୟ ଦିନ ବକ୍ର ଭାବେ ଓ 3ୟ ଦିନ ଖୋପ ତଳେ ଲାଗିଥାଏ । ଏହି 3 ଦିନକୁ ଅଣ୍ଡା ଅବସ୍ଥା କୁହାଯାଏ । ଶୂକ ଅବସ୍ଥାରେ 4ର୍ଥ ଦିନ ଠାରୁ 7 ଦିନ ପର୍ଯ୍ୟନ୍ତ ପ୍ରାୟ 200 ମି.ଗ୍ରାମ ଖାଦ୍ୟ ଖାଏ । 9 ଦିନରେ ଖୋପର ମୁହଁ ମହମ ଦ୍ୱାରା ବନ୍ଦ ହୋଇ ଖୋଷା ଅବସ୍ଥା ଆରମ୍ଭ ହୁଏ । ଦଳର ଆଭ୍ୟନ୍ତରୀଣ ଉତ୍ତାପ ଠିକ୍ 35 ଡିଗ୍ରୀ ସେଲସିଅସ୍ ଥିଲେ 21 ଦିନରେ କର୍ମୀମାଛିଟି ଖୋପ ମଧ୍ୟରୁ ପୂର୍ଣ୍ଣାଙ୍ଗ ଅବସ୍ଥାରେ ବାହରକୁ ଆସେ । ମାତ୍ର ଉତ୍ତାପ କମ୍ ଥିଲେ ତାକୁ ବାହାରିବାକୁ ବେଶୀ ଦିନ ଆବଶ୍ୟକ ହୁଏ । 20 ଡ଼ିଗ୍ରୀ ସେଲସିଅସ୍ ଉତ୍ତୀପରେ କୌଣସି ମାଛି ଜନ୍ମ ହୁଏ ନାହିଁ । ସେହିପରି 36 ଡ଼ିଗ୍ରୀ ସେଲସିଅସ୍ ଉତ୍ତାପରେ ମାଛିରୁ ଜନ୍ମ ହେବାକୁ ଅପେକ୍ଷାକୃତ କମ୍ ଦିନ ଲାଗେ । ଶ୍ରମିକ ମାଛି ସାଧାରଣତଃ ଛଅ ସପ୍ତାହ ବଞ୍ଚନ୍ତି । ପ୍ରଥମ 3 ସପ୍ତାହ ମହୁଘେରା ଭିତରେ ରହି ବିଭିନ୍ନ ପ୍ରକାରର ଘରୋଇ କାମ ଯଥା- ମହୁଘେରା ତିଆରି କରିବା, ଶୁକ ଅବସ୍ଥାରେ ଥିବା ମହୁମାଛିଙ୍କୁ ପାଳନ କରିବା, ମହୁ ସଂରକ୍ଷଣ, ରାଣମାଛିର ସେବା ଶୁଶ୍ରୁଷା କରିବା ଇତ୍ୟାଦି କାମ କରିଥାନ୍ତି । ବାକି 3 ସପ୍ତାହ ବାହାରୁ ମକରନ୍ଦ ଓ ପରାଗରେଣୁ ଏବଂ ଆବଶ୍ୟକ ସ୍ଥଳେ ପାଣି ସଂଗ୍ରହ କରନ୍ତି । ଖାଦ୍ୟ ସଂଗ୍ରହ ପାଇଁ ଶ୍ରମିକ ମାଛି ଦୁଇଟି ଦଳରେ ବିଭକ୍ତ ହୋଇଯାଆନ୍ତି । ଗୋଟିଏ ଦଳକୁ ଅନ୍ୱେଷଣକାରୀ ଦଳ ଓ ଅନ୍ୟଦଳକୁ ସଂଗ୍ରହକାରୀ ଦଳ କୁହାଯାଏ । ଅନ୍ୱେଷଣକାରୀ ଦଳ ପ୍ରଥମେ ବିଭିନ୍ନ ଜାଗାକୁ ଯାଇ ଖାଦ୍ୟର କିସମ, ମାନ, ପରିମାଣ ଓ ଦୂରତା ସମ୍ୱନ୍ଧରେ ଖବର ନେଇ ଆସି ମହୁଘେରା ଆଗରେ ଏକ ପ୍ରକାର ନାଚ କରନ୍ତି । ସଂଗ୍ରହକାରୀ ଦଳ ସେମନଙ୍କ ଠାରୁ ଆଭାଷ ପାଇ ସଙ୍ଗେ ସଙ୍ଗେ ଖାଦ୍ୟ ସଂଗ୍ରହ କାର୍ଯ୍ୟରେ ଲାଗିପଡ଼ନ୍ତି । ଏହା ବ୍ୟତୀତ ମହୁଘେରାକୁ ସଫା ସୁତୁରା ରଖିବା, ବାହ୍ୟ ଶତ୍ରୁ ଆକ୍ରମଣରୁ ନିଜ ଦଳକୁ ରକ୍ଷା କରିବା, ମହୁ ଘେରାରେ ଉପଯୁକ୍ତ ଉତ୍ତାପ ନିୟନନ୍ତ୍ରଣ କରିବା ଇତ୍ୟାଦି କାମ ମଧ୍ୟ ଏମାନେ କରିଥାନ୍ତି । ରାଣୀର ଅନୁପସ୍ଥିତିରେ ଶ୍ରମିକ ମାଛି ମହୁଫେଣାରେ ଅଣ୍ଡା ଦେଇଥାନ୍ତି କିନ୍ତି ଏଥିରୁ କେବଳ ପୁରୁଷମାଛଇ ବାହାରନ୍ତି ଏବଂ କ୍ରମେ ଦଳଟି ଦୁର୍ବଳ ହୋଇପଡ଼େ ।
କର୍ମୀମାଛିଙ୍କ କାର୍ଯ୍ୟଶୈଳୀ
ଗୋଟିଏ କର୍ମୀମାଛି ଜନ୍ମ ହେବାଠାରୁ 3 ଦିନ ପର୍ଯ୍ୟନ୍ତ ଫେଣାରୁ ଖୋପଗୁଡ଼ିକୁ ସଫା କରେ । 4ର୍ଥ ଦିନଠାରୁ 7ମ ଦିନ ପର୍ଯ୍ୟନ୍ତ ସେବିକା ମାଛି ରୂପେ ଶୂକମାନଙ୍କୁ ପରାଗରେଣୁ ମିଶା ମହୁ ଖାଇବାକୁ ଦିଏ । ଦଳର ଉତ୍ତାପ ରକ୍ଷା କରିବା ଓ ମହୁରୁ ପାଣି ମାରି ନିରୋଳା କରିବାରେ ସାହାଯ୍ୟ କରେ । 8ମ ଦିନଠାରୁ 12ଶ ଦିନ ପର୍ଯ୍ୟନ୍ତ ତାର ମୁଣ୍ଡରେ ଥିବା ପାଚକଗ୍ରନ୍ଥୀ ନାମକ ଗ୍ରନ୍ଥିରୁ ପାଟିବାଟେ ରୟାଲଜେଲି ନିସୃତ ହୁଏ । ଏହା ଶୁକ ଓ ରାଣୀ ମାଛିର ପ୍ରଧାନ ଖାଦ୍ୟ । 13 ଦିନ ଠାରୁ 18 ଦିନ ପର୍ଯ୍ୟନ୍ତ କର୍ମୀମାଛି ମାନଙ୍କର ଦେହରୁ ମହମ ବାହାରେ । ଏହି ବୟସର କର୍ମୀମାଛିମାନେ କେବଳ ଫେଣା ଗଢନ୍ତି । 21 ଦିନ ପରଠାରୁ ମରିବା ପର୍ଯ୍ୟନ୍ତ ସେ ବସା ବାହାରର କାର୍ଯ୍ୟ କରେ । ମହୁ ବେଶି ହେଉଥିବା ଋତୁରେ ଅର୍ଥାତ୍ ଡ଼ିସେମ୍ୱର ମାସ ଠାରୁ ମେ ମାସ ମଧ୍ୟରେ ଜନ୍ମ ହୋଇଥିବା ମାଛିର ଆୟୁଷ ପ୍ରାୟ 25 ସପ୍ତାହ । କର୍ମୀମାଛିମାନେ ସାଧାରଣତଃ ବାହାରେ ମରନ୍ତି । ବସା ନିକଟରେ ଅଧିକା ମାଛି ମରିପଡ଼ିବାର ଦେଖିଲେ ଜଣାଯାଏ ଯେ ମହୁମାଛି ବିଷାକ୍ରାନ୍ତ ହୋଇଛନ୍ତି ।
କର୍ମୀମାଛି ପ୍ରଥମେ କେତେଦିନ ପାଇଁ ବାହାରକୁ ଆସି ଅତି ନିକଟରେ ଉଡ଼ି ବାକସର ଅବସ୍ଥାନ, ତଳ ଉପର ଓ ପ୍ରବେଶ ପଥକୁ ଲକ୍ଷ୍ୟ କରେ । ପରେ ସେ ନିକଟବର୍ତ୍ତୀ ଫୁଲରୁ ଓ ବୟସ ବଢିବା ସଙ୍ଗେ ସଙ୍ଗେ ଦୂରବର୍ତ୍ତୀ ଫୁଲରୁ ମହୁ କିମ୍ବା ପରାଗରେଣୁ ସଂଗ୍ରହ କରେ । ପରାଗରେଣୁ ସଂଗ୍ରହ ସମୟରେ ମହୁମାଛି ତାର ଶୁଣ୍ଢ ଦୁଇ ପାଖରେ ଥିବା ମାଣ୍ଡିବୁଲ ସାହାଯ୍ୟରେ ଫଲରୁ ପରାଗରେଣୁ ସଂଗ୍ରହ କରି ସେଥିରେ ସାମାନ୍ୟ ମହୁ ଲଗାଇ ତାହାକୁ ଆଗ ଗୋଡ଼ ଦ୍ୱାରା ମଝି ଗୋଡ଼କୁ ନେଇ ପରାଗଥଳୀରେ ରଖେ । ପ୍ରାୟ 40-50 ଗୋଟା ସଂଗୃହିତ ପରାଗରେଣୁ ଉଭୟ ଗୋଡ଼ରେ ସମାନ ସମାନ ଭାବରେ ପୂରଣ ହୋଇଗଲେ ଉକ୍ତ ମାଛିଟି ବସାକୁ ଫେରିଆସି ଖୋପରେ ପରାଗରେଣୁକୁ ସାଇତି ରଖେ । ଖୋପଟି ପରାଗରେଣୁରେ ପୂର୍ଣ୍ଣ ହୋଇଗଲେ ନିଜ ମୁଣ୍ଡ ଦ୍ୱାରା ତାକୁ ଭଲ ଭାବରେ ମାଡ଼ି ତା ଉପରେ ସାମନ୍ୟ ମହୁ ଦେଇ ଦିଏ ।
ପ୍ରତ୍ୟେକ କର୍ମୀମାଛି କାର୍ଯ୍ୟକୁ ଯିବା ପୂର୍ବରୁ ପ୍ରାୟ 2 ମି.ଗ୍ରା. ମହୁ ଖାଇକରି ଯାଏ । ଗୋଟିଏ ଖାଦ୍ୟ ସଂଗ୍ରହକାରୀ ମାଛି ଥରକେ ପ୍ରାୟ 100 ରୁ 120 ପର୍ଯ୍ୟନ୍ତ ଫୁଲ ବୁଲିସାରିବା ପରେ 50 ମିଲି ଗ୍ରାମ ପର୍ଯ୍ୟନ୍ତ ମହୁ ସଂଗ୍ରହ କରିପାରେ ।
ଅଧିକ ଜାଣନ୍ତୁ –
- ମହୁମାଛି ସମନ୍ଧରେ ଅଧିକ ସୂଚନା
- ଓଡ଼ିଶାରେ ଦେଖାଯାଉଥିବା ମହୁମାଛି
- ମହୁମାଛି ମାନଙ୍କର ଋତୁ ଭିତ୍ତିକ ପରିଚାଳନା
- ମହୁମାଛିମାନଙ୍କର ରୋଗ
- ମହୁମାଛିମାନଙ୍କର ଶତ୍ରୁ ଓ ତାର ପରିଚାଳନା
- ମହୁମାଛି ପାଳନରୁ ମିଳୁଥିବା ବ୍ୟବସାୟ ଭିତ୍ତିକ ପଦାର୍ଥ
ସୂଚନା- ଦୂରଶିକ୍ଷା କାର୍ଯ୍ୟକ୍ରମ, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି